ଲେବାନନରେ ପେଜର ବ୍ଲାଷ୍ଟ: ୯ ମୃତ ୩୦୦୦ରୁ ଅଧିକ ଆହତ, ବଢ଼ିପାରେ ମୃତ୍ୟୁସଂଖ୍ୟା

ଲେବାନନ ଏବଂ ସିରିୟାର କିଛି ସ୍ଥାନରେ ପେଜର ବିସ୍ଫୋରଣ । ପେଜର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ହୋଇଛି । ପ୍ରାୟ ୩, ୦୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।  ଶତାଧିକ ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ବିସ୍ଫୋରଣ କରାଯାଇଥିବା ହିଜାବୁଲ୍ଲା କହିଛି । ତେବେ ଏ ସମ୍ପର୍କରେ ଇସ୍ରାଏଲ ସେନା ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ହଜାର ହଜାର ପେଜର ଅଚାନକ ବିସ୍ଫୋରଣ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଜଣେ କି ଦୁଇ ଜଣ ନୁହେଁ, ଶହ ଶହ ଲୋକଙ୍କ ପକେଟରେ ଏକାସଙ୍ଗେ ହୋଇଥିଲା ବିସ୍ଫୋରଣ । ଇସ୍ରାଏଲ ପକ୍ଷରୁ ପେଜରକୁ ହ୍ୟାକ୍ କରି ବିସ୍ଫୋରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଲେବାନନରେ ଜାରି ହୋଇଛି ହାଇଆଲର୍ଟ । ଲୋକଙ୍କୁ ପେଜର ବ୍ୟବହାର ନକରିବାକୁ କୁହାଯାଇଛି ।

ପେଜର ଆଟାକ ଘଟଣାରେ ଇସ୍ରାଏଲକୁ ଚେତାବନୀ ଦେଇଛି ଇରାନ ସର୍ମଥିତ ହିଜବୁଲ୍ଲା । ବିସ୍ଫୋରଣରେ ଇସ୍ରାଏଲର ହାତ ଥିବା ଦାୟୀ କରି ପ୍ରତିଶୋଧ ନିଆଯିବ ବୋଲି ହିଜବୁଲ୍ଲା ପକ୍ଷରୁ କୁହାଯାଇଛି । ଏହି ବିସ୍ଫୋରଣ ଘଟଣା ପରେ ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରଗାଚି ଲେବାନନର ବୈଦେଶିକ ମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ସିରିଜ ପେଜର ବିସ୍ଫୋରଣ ପାଇଁ ସେ ଲେବାନନକୁ ଦାୟୀ କରିଛନ୍ତି । ଏହାକୁ ସେ ଇସ୍ରାଏଲୀ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି ।

ପେଜର କଣ :

ପେଜର ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ । ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ । ମୋବାଇଲ୍ ନଥିବା ବେଳେ ଏହାର ବହୁଳ ବ୍ୟବହାର ହେଉଥିଲା । ୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର । ବିଶେଷ କରି ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ଏହାକୁ ବ୍ୟବହାର କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like