ବିହାରର ହାଜିପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଶ୍ରାବଣ ସୋମବାର ଜଳାଭିଷେକ କରିବାକୁ ଯାଉଥିବା କାଉଡ଼ିଆମାନଙ୍କ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା, ଯେଉଁଥିରେ କରେଣ୍ଟ୍ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଗ୍ରାମବାସୀ ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି । ଖବର ପାଇ ଏସ୍ଡିଏମ୍ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ହାଜିପୁରର ଶିଳ୍ପାଞ୍ଚଳ ଥାନା ଅଧୀନ ସୁଲତାନପୁରରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି । ଶ୍ରାବଣ ତୃତୀୟ ସୋମବାର ହେତୁ ଏଠାରେ ଗାଁର କିଛି ଯୁବକ ନିକଟସ୍ଥ ହରିହରନାଥ ମନ୍ଦିରକୁ ଜଳଲାଗି କରିବାକୁ ଯାଉଥିଲେ । ରବିବାର ରାତିରେ ଏହି କାଉଡ଼ିଆମାନେ ଜଳାଭିଷେକ ପାଇଁ ବାହାରିଥିଲେ । କାଉଡ଼ି ଯାତ୍ରା ବେଳେ ସେମାନେ ଡିଜେ ଗାଡ଼ିର ମଧ୍ୟ ବ୍ୟବସ୍ଥା କରିଥିଲେ ।
ତେବେ ଗାଁ ରାସ୍ତା ଖାଲଢିପ ହୋଇଥିବାରୁ ଡିଜେ ଗାଡ଼ି ଅନିୟନ୍ତ୍ରିତ ହୋଇ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା । କରେଣ୍ଟ୍ ଲାଗିବା କାରଣରୁ ଗାଡ଼ି ଉପରେ ଥିବା କିଛି କାଉଡ଼ିଆ ଜୀବନ୍ତ ଜଳିଯାଇଥିଲେ । ଆଉ କିଛି କାଉଡ଼ିଆ ହୋହଲ୍ଲା ଏବଂ ଦୌଡ଼ାଦୌଡ଼ି ମଧ୍ୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।
ଜଣେ ଗ୍ରାମବାସୀ ଅଭିଯୋଗ ଆଣି କହିଛନ୍ତି କି, ଯେତେବେଳେ ଏହି ଦୁର୍ଘଟଣା ଘଟିଥିଲା, ସେତେବେଳେ ଆମେ ସ୍ଥାନୀୟ ବିଦ୍ୟୁତ୍ ବିଭାଗକୁ ଫୋନ୍ କରିଥିଲୁ । କିନ୍ତୁ କେହି ଫୋନ୍ ଉଠାଇ ନ ଥିଲେ । ପରେ ଫୋନ୍ ଉଠାଇ ସେମାନେ ପୋଲିସକୁ ଜଣାଇବାକୁ କହିଥିଲେ । ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁ ୯ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିବା ପରେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହଗୁଡ଼ିକ ଘଟଣାସ୍ଥଳରେ ପଡ଼ି ରହିଥିଲା ।