ଏପ୍ରିଲରୁ ହଟିବ ୯ ଲକ୍ଷ ସରକାରୀ ଗାଡି, ସୂଚନା ଦେଲେ ନୀତିନ ଗଡ଼କରୀ

ଚଳିତବର୍ଷ ଏପ୍ରିଲରୁ ହଟିବ ୯ଲକ୍ଷ ପୁରୁଣା ସରକାରୀ ଗାଡ଼ି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ପରିବହନ ନିଗମ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଖରେ ଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ବିଶେଷ କରି ବସ୍ ଓ କାର୍‌ ଗୁଡ଼ିକୁ ହଟାଯିବ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଏପ୍ରିଲ ୧ରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ିକୁ ହଟାଯିବ । ଏହା ବଦଳରେ ନୂଆ ଗାଡ଼ି ଅଣାଯିବ ।

ପ୍ରଦୂଷଣ କମ୍‌ କରିବା ଲାଗି ସରକାର ବିଭିନ୍ନ ପ୍ରକଳ୍ପ ଉପରେ କାମ କରୁଛନ୍ତି । ଇଥାନଲ, ମିଥାନଲ, ବାୟୋ-ସିଏନଜି, ବାୟୋ-ଏଲଏନଜି ଏବଂ ଇଲେକ୍ଟ୍ରିକ ଯାନର ଅଧିକ ବ୍ୟବହାର ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି ହଟିବା ଦ୍ୱାରା ପ୍ରଦୂଷଣ ହ୍ରାସ ପାଇବ। ବିଶେଷକରି ପ୍ରଦୂଷଣ କରୁଥିବା ବସ୍ ଓ କାର୍ ଗୁଡ଼ିକୁ ହଟାଯିବ ବୋଲି ସୂଚନା ମିଳିଛି ।

ସେସବୁ ବଦଳରେ ନୂଆ ଗାଡ଼ିରେ ବିକଳ୍ପ ଇନ୍ଧନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ । ପୁରୁଣା ଗାଡ଼ି ଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯିବ ଏବଂ ସେଗୁଡ଼ିକୁ ସ୍କ୍ରାପରେ ପରିଣତ କରାଯିବ । ପରିବହନ କ୍ଷେତ୍ରରୁ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଳକୁ ତୁରନ୍ତ ହ୍ରାସ କରିବାକୁ ପଡ଼ିବ। ସେଥିପାଇଁ ଅଧିକ ଇଲେକ୍ଟ୍ରିକ୍ ବସ୍ ଚଲାଇବାକୁ ହେବ ଏବଂ ବ୍ୟକ୍ତିଗତ ଗାଡ଼ି ବ୍ୟବହାରକୁ ନିରୁତ୍ସାହିତ କରିବାକୁ ପଡ଼ିବ ବୋଲି ଗଡ଼କରୀ କହିଛନ୍ତି।

କିଛିଦିନ ପୂର୍ବରୁ  କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଟ୍ରକ ଡ୍ରାଇଭରଙ୍କ ପାଇଁ କାର୍ଯ୍ୟ ଘଣ୍ଟା ନିର୍ଦ୍ଧାରିତ କରିବା ପାଇଁ ଏକ ଆଇନ ଅଣାଯିବ ବୋଲି କହିଥିଲେ । ଏହା ସହିତ ୨୦୨୫ ବର୍ଷ ଶେଷ ପୂର୍ବରୁ ସଡ଼କ ଦୁର୍ଘଟଣାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଉଦ୍ୟମ କରାଯିବ ।

ସଡକ ସୁରକ୍ଷା ସପ୍ତାହରେ ଏକ ଜନସମ୍ପର୍କ ଅଭିଯାନରେ ଅଂଶଗ୍ରହଣ କରି କହିଥିଲେ, ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଡ଼କ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ଏବଂ ସମସ୍ତ ୪E ର ସଡକ ସୁରକ୍ଷା ଇଞ୍ଜିନିୟରିଂ, ଏନଫୋର୍ସମେଣ୍ଟ, ଶିକ୍ଷା ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ।
Leave A Reply

Your email address will not be published.