ତିରୁପତି ଯାଉଥିବା ବସ୍କୁ ଧକ୍କା ଦେଲା ଟ୍ରକ୍; ୯ ଯାତ୍ରୀଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ

ବେଙ୍ଗାଲୁରୁରୁ ତିରୁପତି ଯାଉଥିବା ଏକ ଯାତ୍ରୀବସ୍ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ କୋଲାର ନିକଟରେ ଏକ ଟ୍ରକ୍ ଯାତ୍ରୀବାହୀ ବସ୍କୁ ଧକ୍କା ଦେଇଛି ।
ଖବର ପାଇ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, କୋଲାର ନିକଟ ନରସାପୁରରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବେଙ୍ଗାଲୁରୁରୁ ଯାତ୍ରୀଙ୍କୁ ଧରି ବସ୍ ତିରୁପତି ଯାଉଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଏଥିରେ ବସ୍ଟି ଭାଙ୍ଗି ଚୁର୍ମାର ହୋଇଯାଇଛି ।
ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁସାରେ, ଓଭରଟେକ୍ କରିବାକୁ ଚେଷ୍ଟା କଲା ବେଳେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା । ସେପଟେ ଏହି ଭୟଙ୍କର ଦୁର୍ଘଟଣା ଯୋଗୁ ବହୁ ସମୟ ଧରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।
କହି ରଖୁଛୁ ଯେ କର୍ଣ୍ଣାଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ବଡ଼ ଦୁର୍ଘଟଣା । ଗତକାଲି ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଏଠାରେ ଏକ କାର୍ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । କାର୍ଟି ହୋଲାଲ୍କେରେରୁ ମୈସୁର ଯାଉଥିବା ବେଳେ ମାଣ୍ଡ୍ୟା ଜିଲ୍ଲା ନାଗମଙ୍ଗଲା ତାଲୁକର ଶ୍ରୀରାମନହଲ୍ଲି ଗେଟ୍ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ।