ଖୁଣ୍ଟ ସହ ଧକ୍କା ହେଲା ଯାତ୍ରୀବାହୀ ବସ୍‌; ୯ ଜଣଙ୍କ ମୃତ୍ୟୁ, ୨୬ ଆହତ

ତୁର୍କୀରେ ଭୟଙ୍କର ବସ୍‌ ଦୁର୍ଘଟଣା । ଏଠାରେ ଏକ ଯାତ୍ରୀବାହୀ ବସ୍‌ ମୁଖ୍ୟ ରାଜପଥରୁ ଖସି ଏକ ଖୁଣ୍ଟ ସହ ପିଟି ହୋଇଯିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୬ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ଦୁଇଟି ସହର ମଧ୍ୟରେ ଯାତ୍ରା କରୁଥିବା ବେଳେ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ରାଜଧାନୀ ଅଙ୍କାରାଠାରୁ ପ୍ରାୟ ୮୦ କିଲୋମିଟର (୫୦ ମାଇଲ୍‌) ଦୂର ପୋଲାଟଲି ସହର ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ପଶ୍ଚିମ ତୁର୍କୀର ଇଜମିର ସହରରୁ ଦେଶର ପୂର୍ବରେ ଥିବା ଏଗ୍ରି ସହରକୁ ଏହି ବସ୍‌ ଯାତ୍ରା କରୁଥିଲା । କିନ୍ତୁ ରାଜପଥରେ ଥିବା ଏକ ଓଭରବ୍ରିଜ୍ ଖମ୍ବ ସହିତ ବସ୍‌ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ବସ୍ ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା ।

୯ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ବ୍ୟତୀତ ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ । ଏହି ଭୟଙ୍କର ଦୁର୍ଘଟଣା ଯୋଗୁ ରାଜପଥର ଗୋଟିଏ ପାର୍ଶ୍ୱକୁ ବନ୍ଦ କରି ଦିଆଯାଇଥିଲା । ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବା ବେଳେ ଆହତମାନଙ୍କୁ ପୋଲାଟଲି ଏବଂ ଅଙ୍କାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ବସ୍‌ରେ କେତେଜଣ ଯାତ୍ରୀ ଥିଲେ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ବସ୍‌ଟି ବଡ଼ ଥିଲା, ଯେଉଁଥିରେ ୪୦ରୁ ୫୦ ଜଣ ଯାତ୍ରୀ ରହିପାରିବେ । ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.