ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ସରକାରୀ ଗଣମାଧ୍ୟମ ମୁତାବକ, ରାଜଧାନୀ ତେହରାନଠାରୁ ଉତ୍ତର-ପଶ୍ଚିମରେ ପ୍ରାୟ ୩୩୦ କିଲୋମିଟର (ପ୍ରାୟ ୨୦୫ ମାଇଲ୍‌) ଦୂର ରସ୍ତ ସହରର କାୟମ୍‌ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଛି ।

ସ୍ଥାନୀୟ ସମୟ ଅନୁସାରେ, ସୋମବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ହସ୍ପିଟାଲରେ ନିଆଁ ଲାଗିଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି ।

ଅଗ୍ନିଶମ ଅଧିକାରୀଙ୍କ ସୂଚନା ମୁତାବକ, ହସ୍ପିଟାଲର ବେସ୍‌ମେଣ୍ଟରେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ହୋଇଥିଲା, ଯେଉଁଥିରୁ ଭୟଙ୍କର ଭାବରେ ନିଆଁ ଲାଗିଯାଇଥିଲା । ସେହି ସ୍ଥାନରେ ଆଇସିୟୁ ଥିଲା । ଜରୁରୀକାଳୀନ କର୍ମଚାରୀମାନେ ସେଠାରେ ଫସିଥିବା ୧୪୦ରୁ ଅଧିକ ଲୋକ, ରୋଗୀ ଏବଂ ହସ୍ପିଟାଲ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୧୨୦ ଜଣଙ୍କୁ ଅନ୍ୟ ମେଡିକାଲ୍‌ ବିଭାଗରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅଗ୍ନିକାଣ୍ଡର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ବିଳମ୍ବିତ ରାତିରେ ହସ୍ପିଟାଲରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.