ବିହାର: ବାଲାନ୍ସ ବିଗିଡ଼ିବାରୁ ରାସ୍ତାପାର୍ଶ୍ୱ ପାଣି ଗର୍ତ୍ତ ଭିତରକୁ ଖସିଲା ସ୍କର୍ପିଓ, ୯ ଯାତ୍ରୀଙ୍କ ମୃତ୍ୟୁ

ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରାସ୍ତାରେ ଯାଉଥିବା ବେଳେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ବିରାଟ ଗର୍ତ୍ତ ଭିତରକୁ ଖସି ପଡ଼ିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ପୋଲିସ ସୂଚନା ମୁତାବକ, କିଶନଗଞ୍ଜ ଜିଲ୍ଲା ନୁନିୟା ଗାଁର ୧୦ରୁ ୧୧ ଜଣ ଲୋକ କୌଣସି କାମରେ ପୂର୍ଣ୍ଣିୟାର ବାୟସୀ ଥାନା ଅଧୀନ ତାରାବାଡ଼ି ଗାଁକୁ ଯାଇଥିଲେ। ସେଠାରୁ ସମସ୍ତେ ଏକ ସ୍କର୍ପିଓରେ ଭର୍ତ୍ତି ହୋଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ତେବେ ରାସ୍ତାରେ ଏକ ବୁଲାଣି ଥିବାରୁ ସେହି ସ୍ଥାନରେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି, ଯାହାଫଳରେ ଗାଡ଼ିଟି ରାସ୍ତାପାର୍ଶ୍ୱ ପାଣି ଗର୍ତ୍ତ ଭିତରକୁ ଖସି ପଡ଼ିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପାଣିରୁ ଉଦ୍ଧାର କରିଥିଲା। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତଥ୍ୟ ମୁତାବକ, ସଡ଼କ ଦୁର୍ଘଟଣାରେ ବିହାର ଦେଶରେ ଦ୍ୱିତୀୟ ନମ୍ବରରେ ରହିଛି।