କର୍ଣ୍ଣାଟକ: ନାଳକୁ ଖସିଲା ମାଲ୍‌ଗାଡ଼ି; ୯ ଶ୍ରମିକ ମୃତ, ୮ ଗୁରୁତର

କର୍ଣ୍ଣାଟକର ବେଲଗାଭି ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ମାଲ୍‌ଗାଡ଼ି ନାଳ ଭିତରକୁ ଖସି ପଡ଼ିବାରୁ ୯ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୮ ଜଣ ଆହତ ହୋଇଛନ୍ତି। ପୋଲିସ ସୂଚନା ମୁତାବକ, ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ହସ୍ପିଟାଲରେ ପ୍ରାଣ ହରାଇଥିଲେ।

କୁହାଯାଉଛି ଯେ ସମସ୍ତ ଶ୍ରମିକ ମାଲ୍‌ଗାଡ଼ିରେ ବସି ଯାଉଥିଲେ। ବେଲଗାଭି ନିକଟ କାନାବାରଗି ଗାଁ ପାଖରେ ହଠାତ୍‌ ଚାଳକ ଗାଡ଼ିରୁ ନିୟନ୍ତ୍ରଣ ହରାଇ ବସିଥିଲେ, ଯାହାଫଳରେ ଗାଡ଼ି ସେଠି ଥିବା ଏକ ନାଳ ଭିତରକୁ ଖସି ପଡ଼ିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରିଥିଲା। ବର୍ତ୍ତମାନ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ଅନୁସାରେ, ଗୋକକ ତାଲୁକାର ଅକଙ୍କଗିୟାରା ହଲା ଗାଁର ଶ୍ରମିକମାନେ ବେଲ୍‌ଗାଭି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ପୋଲିସ କମିଶନର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.