ଭୁଶୁଡ଼ି ପଡ଼ିଛି ପାକିସ୍ତାନର ଶିକ୍ଷା ବ୍ୟବସ୍ଥା, ଭଲ ପାଠ ପଢ଼ୁଛନ୍ତି ୫୦ରୁ ମାତ୍ର ଜଣେ ଛାତ୍ର! ଆଶ୍ଚର୍ଯ୍ୟ କରିଦେବ ଏହି ସର୍ଭେ ରିପୋର୍ଟ

ପାକିସ୍ତାନର ଉଚ୍ଚ ଶିକ୍ଷା ଆୟୋଗ ‘ଇନଷ୍ଟିଚ୍ୟୁଟ୍ ଫର୍ ଏଜୁକେସନାଲ୍ ଡେଭେଲପମେଣ୍ଟ ପାକିସ୍ତାନ’କୁ ଏକ ସ୍ୱତନ୍ତ୍ର ଅଧ୍ୟୟନ ପାଇଁ ଫଣ୍ଡିଙ୍ଗ୍‌ ଦେଇଥିଲା, ଯଦ୍ଦ୍ଵାରା ପାକିସ୍ତାନୀ ଶିକ୍ଷା ବ୍ୟବସ୍ଥାର ଅସଲ ଚେହେରା ପଦାକୁୁ ଆସି ଯାଇଛି। କହିବାକୁ ଗଲେ, ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏହି ଏଜୁକେଶନ ସର୍ଭେରେ ପାକିସ୍ତାନର ୧୫୩ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏଥିରୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାର ବାସ୍ତବତା ସାମ୍ନାକୁ ଆସିଛି। ୫ମ, ୬ଷ୍ଠ ଏବଂ ୮ମ ଶ୍ରେଣୀର ପାଖାପାଖି ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

‘ଦ ନ୍ୟୁଜ୍‌ ଇଣ୍ଟରନ୍ୟାଶନାଲ’ର ଖବର ମୁତାବକ, ଆଗା ଖାନ ବିଶ୍ୱବିଦ୍ୟାଳୟର ‘ଇନଷ୍ଟିଚ୍ୟୁଟ୍ ଫର୍ ଏଜୁକେସନାଲ୍ ଡେଭେଲପମେଣ୍ଟ ପାକିସ୍ତାନ (IED)’ ଏହି ଅଧ୍ୟୟନ କରିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନରେ ଛାତ୍ରଛାତ୍ରୀମାନଙ୍କର ଇଂଲିଶ ଶିକ୍ଷା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି। ସେଠି ଗଣିତ ଏବଂ ବିଜ୍ଞାନରେ ମଧ୍ୟ ସମାନ ଅବସ୍ଥା। ତେବେ ସର୍ଭେର ଫଳାଫଳ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ମୌଳିକ ଜ୍ଞାନ ନାହିଁ

ପାକିସ୍ତାନରେ ପ୍ରାଥମିକ ଏବଂ ନିମ୍ନ ମାଧ୍ୟମିକ ବିଦ୍ୟାଳୟର ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରେ ବହୁତ ଦୁର୍ବଳ ଅଛନ୍ତି। ଗଣିତ ଏବଂ ବିଜ୍ଞାନ ପରି ମୁଖ୍ୟ ବିଷୟରେ ସେମାନଙ୍କ ପାଖରେ ମୌଳିକ ଜ୍ଞାନର ଅଭାବ ରହିଛି। IED ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ ୫୦ ଛାତ୍ରଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ଛାତ୍ର ଭଲ ପାଠ ପଢ଼ୁଛନ୍ତି। ତାଙ୍କ ପାଖରେ ଶବ୍ଦରେ ଲେଖା ଯାଇଥିବା ସଂଖ୍ୟାକୁ ସଂଖ୍ୟାତ୍ମକ ରୂପରେ ବଦଳାଇବାର ସମ୍ପୂର୍ଣ୍ଣ କ୍ଷମତା ରହିଛି।

ବେସରକାରୀ ବିଦ୍ୟାଳୟଗୁଡ଼ିକର ଫଳାଫଳ ଭଲ ଥିଲା

ଅଧ୍ୟୟନ ଅନୁଯାୟୀ, ଛାତ୍ରଛାତ୍ରୀମାନେ ଗଣିତରେ ମୋଟ ମାର୍କ ୧୦୦ରୁ ୨୭ ପାଇଛନ୍ତି। ଯେତେବେଳେ କି, ବିଜ୍ଞାନରେ ମୋଟ ମାର୍କ ୧୦୦ରୁ ୩୪ ପାଇଛନ୍ତି। କେବଳ ୧ ପ୍ରତିଶତ ଛାତ୍ରଛାତ୍ରୀ କୌଣସି ବି ବିଷୟରେ ୮୦ରୁ ଅଧିକ ଅଙ୍କ ପ୍ରାପ୍ତ କରିଛନ୍ତି, ଯାହାକୁ ଗବେଷକମାନେ ଅତ୍ୟନ୍ତ ଭଲ ବୋଲି କହିଛନ୍ତି। ଅଧ୍ୟୟନରେ କୁହାଯାଇଛି ଯେ ଘରୋଇ ବିଦ୍ୟାଳୟରେ ହାରାହାରି ସ୍କୋର ସରକାରୀ ବିଦ୍ୟାଳୟ ତୁଳନାରେ ଅଧିକ ରହିଛି, କିନ୍ତୁ କୌଣସି ବି ବିଷୟରେ ୪୦ରୁ ଅଧିକ ମାର୍କ ନାହିଁ। ସେହିପରି ଅନ୍ୟ ଏକ ଅଧ୍ୟୟନରେ ପଞ୍ଜାବରେ ହାରାହାରି ଅଙ୍କ ଦେଶର ସମସ୍ତ ଅଞ୍ଚଳ ମଧ୍ୟରୁ ସର୍ବାଧିକ ରହିଥିଲା। ଏହି ଅଧ୍ୟୟନରେ ମୋଟ ୭୮ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ଏବଂ ୭୫ ବେସରକାରୀ ସ୍କୁଲ ଅଂଶଗ୍ରହଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.