ଆନ୍ଧ୍ର ସରକାରଙ୍କ ବଡ଼ ଖୁଲାସା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସୁରକ୍ଷାରେ ଥିଲେ ୯୮୬ ସୁରକ୍ଷା କର୍ମୀ

ଆନ୍ଧ୍ର ପ୍ରଦେଶ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଏକ ବଡ଼ ଖୁଲାସା କରିଛି । ସରକାର କହିଛନ୍ତି ଯେ ପୂର୍ବତନ ସିଏମ୍‌ଙ୍କ ସୁରକ୍ଷାରେ ୨୪ ଘଣ୍ଟା ୯୮୬ ସୁରକ୍ଷା କର୍ମୀ ମୁତୟନ ରହିଥିଲେ । ବିଶାଖାପାଟଣାରେ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି ଜଗନ ମୋହନ ରାଜପ୍ରସାଦ ତିଆରି କରିଛନ୍ତି । ରାଜଧାନୀ ଅମରାବତୀ ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସରକାରୀ ଜମିରେ ଦଳୀୟ କାର୍ଯ୍ୟାଳୟ ତିଆରି ଅଭିଯୋଗ ପରେ ଏବେ ଜଗନ ମୋହନଙ୍କୁ ନେଇ ନୂଆ କଥା ଖୁଲାସା ହୋଇଛି ।

ବର୍ତ୍ତମାନର ସରକାର ଜାଣିବାକୁ ପାଇଛନ୍ତି ଯେ ସିଏମ୍‌ ଥିବା ସମୟରେ ଜଗନ ମୋହନ ରେଡ୍ଡୀଙ୍କ ସୁରକ୍ଷାରେ ୨୪ ଘଣ୍ଟା ମୁତୟନ ରହିଥିଲେ ୯୮୬ ସୁରକ୍ଷା କର୍ମୀ । ଯଦିଓ ଏ ପର୍ଯ୍ୟନ୍ତ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ଆଶା କରାଯାଉଛି ଯେ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର ଖୁବ୍‌ ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ପୂର୍ବତନ ସିଏମ୍‌ଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୂଚନା ମିଳିଛି ଯେ ଜଣେ ଆସିଷ୍ଟାଣ୍ଟ ଏସ୍‌ପି ଏବଂ ୨ ଜଣ ଡେପୁଟି ଏସ୍‌ପିଙ୍କ ନେତୃତ୍ୱରେ ଜଗନ ମୋହନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

କେବଳ ଏତିକି ନୁହେଁ, ଜଗନ ମୋହନ ରେଡ୍ଡୀଙ୍କ ସୁରକ୍ଷା ପାଇଁ ଆନ୍ଧ୍ର ପ୍ରଦେଶ ପୋଲିସର ସ୍ପେଶାଲ୍ ସିକ୍ୟୁରିଟି ଗ୍ରୁପ୍ ଅର୍ଥାତ୍‌ ଏସ୍‌ଏସ୍‌ଜି ଗଠନ କରାଯାଇଥିଲା, ଯାହା ଅଧୀନରେ ୩୭୯ ଟ୍ରେନ୍ ସୁରକ୍ଷା କର୍ମୀ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ଆଣ୍ଟି ଟେରର୍‌ ଏବଂ ଆଣ୍ଟି ରୟୋଟସ୍‌ କମ୍ବଟ୍‌ ଟିମ୍‌ ଅକ୍ଟୋପସ୍‌ର ୪୩୯ ଏଲିଟ୍‌ କମାଣ୍ଡୋଙ୍କୁ ମଧ୍ୟ ୨୪ ଘଣ୍ଟା ନିୟୋଜିତ କରାଯାଇଥିଲା ।

ଅମରାବତୀରେ ତାଡ଼େପଲ୍ଲୀ ବାସଭବନକୁ ଅଭେଦ୍ୟ ଛାଉଣୀରେ ପରିବର୍ତ୍ତନ କରାଯାଇଥିଲା । ତାଙ୍କ ମୁଖ୍ୟ ଘରର ସୁରକ୍ଷା ପାଇଁ ଚାରିପାଖରେ ୩୦ ଫୁଟ ଉଚ୍ଚର ଲୁହା କାନ୍ଥ ନିର୍ମାଣ ହୋଇଥିଲା ।