ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ୪ ଛୁଆଙ୍କୁ ଜନ୍ମ ଦେଲା ନାମ୍ବିଆରୁ ଆସିଥିବା ଚିତା

ଅନୁମାନ କରାଯାଉଛି ଆଫ୍ରିକା ମହାଦେଶରୁ ଆସିଥିବା ଚିତା ଭାରତୀୟ ପରିବେଶ ସହ ଖାପ ଖୁଆଇବା ଆରମ୍ଭ କରିସାରିଲେଣି। ଚାରି ଚିତା ଛୁଆ ଜନ୍ମ ନେଇଥିବା ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଇତିହାସରେ ଏହା ସ୍ମରଣୀୟ ଘଟଣା ବୋଲି ସେ କହିଛନ୍ତି।

କେନ୍ୟୁଜ୍(ବ୍ୟୁରୋ): ଭାରତରେ ପ୍ରୋଜେକ୍ଟ ଚିତା ପାଇଁ ଖୁସି ଖବର। ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମ୍ବିଆରୁ ଆସିଥିବା ଗୋଟିଏ ଚିତା ୪ ଛୁଆଙ୍କୁ ଜନ୍ମ ଦେଇଛି। ଆଫ୍ରିକା ମହାଦେଶରୁ ଚିତା ଆଣି ଭାରତରେ ବଂଶ ବୃଦ୍ଧି ପାଇଁ ଭାରତରେ କାର୍ଯ୍ୟକାରୀ ହେଉଛି ପ୍ରୋଜେକ୍ଟ ଚିତା।

କିଛି ଦିନ ତଳେ ନାମ୍ବିଆରୁ ଆସିଥିବା ଚିତା ସଶାର ମୃତ୍ୟୁ ନେଇ ପରିବେଶବିତ୍‌ ଚିନ୍ତା ପ୍ରକାଶ କରିଥିଲେ। ଏବେ ନାମ୍ବିଆରୁ ଆସିଥିବା ମାଈ ଚିତା ସିୟାୟା ୪ ଛୁଆକୁ ଜନ୍ମ ଦେବା ଖବର ଆଶ୍ୱସ୍ତି ଆଣି ଦେଇଛି। ଅନୁମାନ କରାଯାଉଛି ଆଫ୍ରିକା ମହାଦେଶରୁ ଆସିଥିବା ଚିତା ଭାରତୀୟ ପରିବେଶ ସହ ଖାପ ଖୁଆଇବା ଆରମ୍ଭ କରିସାରିଲେଣି।

ଚାରି ଚିତା ଛୁଆ ଜନ୍ମ ନେଇଥିବା ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଇତିହାସରେ ଏହା ସ୍ମରଣୀୟ ଘଟଣା ବୋଲି ସେ କହିଛନ୍ତି। ଗତ ସେପ୍ଟେମ୍ବର ମାସରେ ନାମ୍ବିଆରୁ ୮ ଓ ଗତ ମାସରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତ ଅଣାଯାଇଥିଲା। ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଏବେ କ୍ୱାରେଣ୍ଟିନ ଏନ୍‌କ୍ଲୋଜର ଭିତରେ ଅଛନ୍ତି।