ଦାୟିତ୍ୱହୀନତା! ମତଦାନ ଭିତରେ ଲୋକଙ୍କ ଜୀବନ ସହିତ ଖେଳ, କରୋନା ଓ୍ଵାର୍ଡକୁ କରିଦେଲେ ପୋଲିଂ ବୁଥ୍‌, ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଭୋଟର

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ମାମଲା ଭିତରେ ପଶ୍ଚିମବଙ୍ଗରେ ନିର୍ବାଚନ ହେବା ଏବଂ ନିର୍ବାଚନ ପାଇଁ ରାଜନେତାମାନଙ୍କ ର‍୍ୟାଲି ପ୍ରଥମରୁ ହିଁ ବଡ଼ ଚିନ୍ତାଜନକ ବିଷୟ ପାଲଟିଛି। ଆଉ ଏହାରି ଭିତରେ ବଙ୍ଗର ରାୟଗଞ୍ଜରୁ ଆହୁରି ଏକ ଦାୟିତ୍ୱହୀନତାର ଖବର ସାମ୍ନାକୁ ଆସିଛି। ଆଜି ପଶ୍ଚିମବଙ୍ଗରେ ୬ଷ୍ଠ ପର୍ଯ୍ୟାୟ ମତଦାନ ଥିବା ବେଳେ ରାୟଗଞ୍ଜର ଏକ କୋଭିଡ୍‌ ଓ୍ଵାର୍ଡକୁ ପୋଲିଂ ବୁଥ୍‌ରେ ବଦଳାଇ ଦେବା ଭଳି ଅଭିଯୋଗ ହୋଇଛି।

ଖବରରୁ ଜଣାପଡ଼ିଛି, ରାୟଗଞ୍ଜର ଏକ ମେଡିକାଲ କଲେଜରେ କୋଭିଡ୍‌ କେୟାର ସେଣ୍ଟର କରାଯାଇଥିଲା, ଯାହାକୁ ପରେ ପୋଲିଂ ବୁଥ୍‌ରେ ପରିଣତ କରି ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଏବଂ ଇନ୍ଦିରା କଲୋନୀବାସୀ ବିରୋଧ ପ୍ରଦର୍ଶନ କରିଥିଲେ। ଏଥିସହିତ ପ୍ରଶାସନର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଲୋକଙ୍କ କହିବା ହେଲା, କୋଭିଡ୍‌ ଓ୍ଵାର୍ଡକୁ ପୋଲିଂ ବୁଥ୍‌ରେ ବଦଳାଇ ଦେବା କାରଣରୁ ସେମାନଙ୍କୁ କରୋନା ହେବାର ଭୟ ଲାଗି ରହିବ। ଏଠାରେ ସେମାନେ ମତଦାନ କରିପାରିବେ ନାହିଁ। କାହିଁକି ନା, ଏହି ଜାଗା ସୁରକ୍ଷିତ ନୁହେଁ। ଏହି ଓ୍ଵାର୍ଡକୁ ସାନଟାଇଜ୍‌ କରାଯାଇଛି କି ନାହିଁ, ସେ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ।

ସେମାନେ ଆହୁରି କହିଥିଲେ ଯେ ‘ଆମେ ଭିତରକୁ ଯିବୁ ନାହିଁ, ଆମ ଉପରେ ପରିବାରର ବି ଦାୟିତ୍ୱ ଅଛି। ସରକାର କୋଭିଡ ନିୟମକୁ ନେଇ ଭାଷଣବାଜି ମାରୁଛନ୍ତି ଏବଂ ସେଥିରେ ପୁଣି ଏମିତି ଓ୍ଵାର୍ଡରେ ଆମଠୁ ମତ ସଂଗ୍ରହ କରୁଛନ୍ତି। ଆମକୁ ମତଦାନ ପାଇଁ ନୂଆ ପୋଲିଂ ବୁଥ୍‌ ଦରକାର। ଏହି ଘଟଣାକୁ ନେଇ ସ୍ଥାନୀୟବାସୀ ଅନେକ ଘଣ୍ଟା ଧରି ରାସ୍ତା ଅବରୋଧ କରି ରଖିଥିଲେ। ପରେ ପ୍ରଶାସନ ପହଞ୍ଚି ବୁଥ୍‌କୁ ସାନିଟାଇଜ୍‌ କରିଥିଲା।