ଲଙ୍ଗ୍ ଡ୍ରାଇଭ୍ରେ ପ୍ରେମିକାକୁ ନେଇ ଯାଇଥିଲେ ଡାକ୍ତର; ଝଗଡ଼ା ହେବାରୁ ନିଜର ୫୦ ଲକ୍ଷ ମର୍ସିଡିଜ୍ ବେଞ୍ଚ୍ରେ ଲଗାଇଦେଲେ ନିଆଁ!
ତାମିଲନାଡ଼ୁ: କୁହାଯାଏ, କ୍ରୋଧ ମଣିଷର ପରମ ଶତ୍ରୁ। କ୍ରୋଧ ବର୍ବାଦୀର କାରଣ। କ୍ରୋଧ ଆସିଲେ ବ୍ୟକ୍ତି ସବୁବେଳେ କ୍ଷତିର କାମ କରିଥାଏ। ଏମିତି ହିଁ ଏକ ଖବର ଆସିଛି ଚେନ୍ନାଇର କାଞ୍ଚିପୁରମ୍ରୁ। ଏଠାରେ କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ଡାକ୍ତର ନିଜର ୫୦ ଲକ୍ଷ ଟଙ୍କା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି।
ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଏଠାରେ ଜଣେ ଡାକ୍ତର (୨୮)ଙ୍କର ନିଜ ପ୍ରେମିକାଙ୍କ ସହିତ ଜୋରଦାର୍ ଝଗଡ଼ା ହୋଇଥିଲା, ଯାହାପରେ ସେ ନିଜ ମର୍ସିଡିଜ୍ ବେଞ୍ଚ୍ରେ ନିଆଁ ଲଗାଇ ଦେଇଥିଲେ। ପୋଲିସ ମୁତାବକ, ଏହି ଘଟଣା ରାତି ପ୍ରାୟ ୯ଟା ସମୟରେ ଏକ ଖୋଲା ପଡ଼ିଆରେ ଘଟିଛି।
ପୋଲିସ ସୂଚନା ଅନୁସାରେ, ଧର୍ମପୁରୀର ବାସିନ୍ଦା କଭିନ୍ ଗତବର୍ଷ କାଞ୍ଚିପୁରମ୍ର ଏକ ପ୍ରାଇଭେଟ୍ ମେଡିକାଲ କଲେଜରୁ ଏମ୍ବିବିଏସ୍ ପାସ୍ କରିଥିଲେ ଏବଂ ଏହାପରେ ସେ ଏକ ପ୍ରାଇଭେଟ୍ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। କଲେଜ ପାଠପଢ଼ା ସମୟରେ ହିଁ କାଭ୍ୟା ଓ କଭିନ୍ଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। କାଭ୍ୟା ସେବେଠାରୁ ତାଙ୍କର ପ୍ରେମିକା ରହି ଆସିଛନ୍ତି। ବର୍ତ୍ତମାନ କଭିନ୍ ଏକ ପ୍ରାଇଭେଟ୍ କ୍ଲିନିକ୍ରେ କାମ କରୁଛନ୍ତି।
ଗୁରୁବାର ରାତିରେ କଭିନ୍ ନିଜର ୫୦ ଲକ୍ଷ ମର୍ସିଡିଜ୍ ବେଞ୍ଚ୍ କାରରେ କାଭ୍ୟାଙ୍କୁ ତାଙ୍କ ଘରୁ ପିକ୍ଅପ କରିଥିଲେ। ଏହାପରେ ସେମାନେ ରାଜାକୁଲମ୍ରେ ଥିବା ଏକ ହ୍ରଦ ନିକଟସ୍ଥ ନିଛାଟିଆ ସ୍ଥାନକୁ ଯାଇଥିଲେ। ପୋଲିସ ଅନୁସାରେ, ସେଠାରେ ଉଭୟଙ୍କ ମଧ୍ୟରେ ଜୋର୍ଦାର ଝଗଡ଼ା ଲାଗିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କଭିନ୍ ନିଜ କାର୍ରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ।
ସେହି ବାଟ ଦେଇ ଯାଉଥିବା କିଛି ଲୋକ ଗାଡ଼ିରେ ନିଆଁ ଲାଗି ଯାଇଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍ କରି ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେପଟେ କାଞ୍ଚିପୁରମ୍ ପୋଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିଛି। ପୋଲିସ ଏ ନେଇ କଭିନ୍ଙ୍କୁ ପଚରାଉଚରା କରି ଛାଡ଼ିଛି। ପୋଲିସ ମୁତାବକ, କାର୍ଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି।