ମକର ସଂକ୍ରାନ୍ତିରେ ଜ୍ୱାଇଁ ପାଇଁ ପରସା ଗଲା ୧୭୩ ପ୍ରକାରର ବ୍ୟଞ୍ଜନ, ଖାଦ୍ୟ ପ୍ରସ୍ତୁତି ପାଇଁ ଶାଶୁକୁ ଲାଗିଲା ୪ ଦିନ

ଭାରତୀୟ ପରିବାରରେ ଝିଅର ସ୍ୱାମୀ ଅର୍ଥାତ୍‌ ଜ୍ୱାଇଁର ଏକ ଖାସ୍‌ ସ୍ଥାନ ରହିଛି। ଉତ୍ତର ହେଉ କି ଦକ୍ଷିଣ, ପୂର୍ବ ହେଉ କି ପଶ୍ଚିମ, ଦେଶର ପ୍ରତ୍ୟେକ ଭାଗରେ ଶ୍ୱଶୁର ଘର ଲୋକେ ନିଜ କ୍ଷମତାଠୁ ବଳି ଜ୍ୱାଇଁର ଚର୍ଚ୍ଚା କରିବାକୁ ଚେଷ୍ଟା କରନ୍ତି। ଶ୍ୱଶୁର ଘରେ ଜ୍ୱାଇଁକୁ ସ୍ୱତନ୍ତ୍ର ସମ୍ମାନ ମିଳିଥାଏ। ନିକଟରେ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରୁ ଏମିତି ହିଁ ଏକ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଜ୍ୱାଇଁର ସ୍ୱାଗତ, ସମ୍ମାନରେ ଶ୍ୱଶୁର ଘରେ ୧୭୩ ପ୍ରକାରର ବ୍ୟଞ୍ଜନ ପରସା ଯାଇଥିଲା।

ଏଠାରେ ରହୁଥିବା ଟାଟାବର୍ତୀ ବଦ୍ରୀ ନାମକ ବ୍ୟବସାୟୀ ନିଜର ହାଇଦ୍ରାବାଦ ନିବାସୀ ଜ୍ୱାଇଁ ଚାଓ୍ଵଲା ପୃଥ୍ଵୀଗୁପ୍ତ ଓ ଝିଅ ଶ୍ରୀହରିକାଙ୍କୁ ମକର ସଂକ୍ରାନ୍ତି ଅବସରରେ ଘରକୁ ଆମନ୍ତ୍ରଣ କରିଥିଲେ। ଏହି ମଉକାରେ ସେମାନଙ୍କ ପାଇଁ ଘରେ ୧୭୩ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା।

ଶ୍ୱଶୁର ବଦ୍ରୀ କହିଛନ୍ତି ଯେ ଝିଅ ଶ୍ରୀହରିକା ଓ ଜ୍ୱାଇଁ ଚାଓ୍ଵଲା ପୃଥ୍ଵୀଗୁପ୍ତ ଗତ ୨ ବର୍ଷ ହେବ କୋଭିଡ୍‌ ପ୍ରତିବନ୍ଧକ ହେତୁ ଆମ ଘରକୁ ଆସିପାରି ନ ଥିଲେ। ଏହି ଦୁଇ ବର୍ଷ ଆମେ ଝିଅ ଓ ଜ୍ୱାଇଁଙ୍କ ସହିତ ସଂକ୍ରାନ୍ତିର ଉତ୍ସବ ପାଳନ କରିପାରି ନ ଥିଲୁ। କିନ୍ତୁ ଚଳିତ ବର୍ଷ ଆମେ ସମସ୍ତେ ଏକାଠି ହୋଇ ମକର ସଂକ୍ରାନ୍ତି ପାଳନ କରିଛୁ।

ବଦ୍ରୀଙ୍କ ମୁତାବକ, ତାଙ୍କ ପତ୍ନୀ ସମସ୍ତ ୧୭୩ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ୪ ଦିନ ହେବ କାମ କରୁଥିଲେ। ସଂକ୍ରାନ୍ତିର ଅବସର ଆସିବାରୁ ଆମେ ଝିଅ ଓ ଜ୍ୱାଇଁଙ୍କୁ ଆମନ୍ତ୍ରଣ କରିଥିଲୁ ଏବଂ ସେମାନଙ୍କୁ ସମସ୍ତ ବ୍ୟଞ୍ଜନ ପରସା ଯାଇଥିଲା।

ତାଙ୍କ ପତ୍ନୀ ସନ୍ଧ୍ୟା କହିଛନ୍ତି କି, ଜ୍ୱାଇଁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଖାସ୍‌ ଆଇଟମ୍‌ ମଧ୍ୟରେ ବଜି, ପୁରୀ, କରେଲା, ହଲଓ୍ଵା, ପାପଡ଼, ଆଚାର, ମିଷ୍ଠାନ୍ନ, ଶୀତଳ ପେୟ, ଗୋଲି ସୋଡ଼ା ଆଦି ଜିନିଷ ସବୁ ସାମିଲ ରହିଛି। ସେପଟେ ବାପଘରେ ଏଭଳି ସ୍ୱତନ୍ତ୍ର ସ୍ୱାଗତ ସତ୍କାର ଦେଖି ଝିଅ ମଧ୍ୟ ବହୁତ ଖୁସି ହୋଇଯାଇଛି। ସମସ୍ତେ ଏହି ଅବସରରେ ଡାୟନିଙ୍ଗ୍‌ ଟେବୁଲ ଉପରେ ବସି ସୁସ୍ୱାଦୁ ବ୍ୟଞ୍ଜନର ଲାଭ ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.