ପାକିସ୍ତାନରେ ବେଆଇନ ଭାବରେ ମାଟିରେ ମିଶାଗଲା ଏକ ହିନ୍ଦୁ ମନ୍ଦିର, ବିରୋଧ କରିବାରୁ ମିଳୁଛି ଧମକ

ପାକିସ୍ତାନର ସିନ୍ଧ ପ୍ରଦେଶରେ ବେଆଇନ ଭାବରେ ଏକ ହିନ୍ଦୁ ମନ୍ଦିରକୁ ମାଟିରେ ପୋତି ଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅଶାନ୍ତି ଜୋର ଧରିଥିବା ବେଳେ ପୋଲିସ ତରଫରୁ ଏହି ସ୍ଥାନ ଟିକୁ ସିଲ କରି ଦିଆଯାଇଛି । ଦେଶ ବିଭାଜନ ସମୟରୁ ରହି ଆସିଥିବା ଏହି ମନ୍ଦିର ଟିକୁ ଜଣେ ବିଲଡ଼ର ବିଭିନ୍ନ କାରଣ ଦର୍ଶାଇ ମାଟି ତଳେ ପୋତି ଦେଇଛନ୍ତି । ଦଶନ୍ଧି ଧରି ରହି ଆସିଥିବା ଏହି ହନୁମାନ ମନ୍ଦିରକୁ ପୋତାଯିବା ଖବର ପ୍ରଚାରିତ ହେବା ମାତ୍ରେ ଅଂଚଳର କିଛି ହିନ୍ଦୁ ପରିବାର ସଡକ ଉପରେ ଏକାଠି ହୋଇ ଯାଇଥିଲେ । ଏହାପରେ ସ୍ଥାନୀୟ ଅଧିକାରୀ ଅବଦୁଲ କରିମ ମେମନ ପୋଲିସ ସହ ଘଟଣା ସ୍ଥଳରେ ପହଂଚି ମନ୍ଦିରର ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରିବା ସହ ମନ୍ଦିରର ତିନିଟି ଯାକ ଦ୍ୱାରକୁ ସମ୍ପୂର୍ଣ୍ଣ ରୂପେ ସିଲ କରି ଦେଇଥିଲେ ।

ନିଜ ପ୍ରତିକ୍ରିୟାରେ ଅଧିକାରୀ ଜଣଙ୍କ କହିଛନ୍ତିକି, ଆମେ ମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରି ଦେଇଛୁ । ଏହି କାମରେ ଯେପରି କୌଣସି ପ୍ରକାର ଅସୁବିଧା ନହେବ ସେହି କାରଣରୁ ସ୍ଥାନ ଟିକୁ ସିଲ କରି ଦିଆଯାଇଛି । ଏ ବାବଦରେ ଆଉ ଜଣେ ଅଧିକାରୀ ମହମ୍ମଦ ଇର୍ସାଦ ବଳୁଚ କହିଛନ୍ତିକି, ପୂଜା ସ୍ଥଳକୁ ମାଟିରେ ପୋତି ଦେବା ଏକ ଅନ୍ୟାୟ କଥା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଏହା ଘୋର ଅନ୍ୟାୟ । ଆଉ ମଧ୍ୟ ଏହି ମନ୍ଦିରଟି ଖୁବ ପୁରାତନ । ଯାହାକୁ ଆମେ ଏହାକୁ ଛୋଟ ବେଳରୁ ହିଁ ଦେଖି ଆସୁଛୁ । ଆଉ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତିକି, ବର୍ତ୍ତମାନ ସମୟରେ ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଂଚଳରେ ପାଖାପାଖି ୧୮ଟି ପରିବାର ବସବାସ କରୁଛନ୍ତି ।

ନିଜ ପେଟ ପାଟଣା ପାଇଁ ବି ଏମାନେ ସିଧାସଳଖ ଭାବେ ଏହି ମନ୍ଦିର ଉପରେ ହିଁ ନିର୍ଭରଶୀଳ । ମନ୍ଦିର ଭାଙ୍ଗିବା ସହିତ ଏହି ପରିବାର ମାନଙ୍କ ଉଜୁଡି ଯିବାର ମଧ୍ୟ ଅନେକ ଆଶଙ୍କା ରହିଛି । ପାକିସ୍ତାନ ମିଡ଼ିଆ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଲକ ଡାଉନ ସମୟରେ କାହାକୁ ବି ଏହି ମନ୍ଦିର ଯିବାକୁ ଅନୁମତି ମିଳିନଥିଲା । ଏହାର ସୁଯୋଗ ନେଇ ହିଁ ଅନ୍ୟାୟ ଭାବରେ ପୂଜା ସ୍ଥଳକୁ ମାଟିରେ ପୋତି ଦିଆଯାଇଛି । ଗୋଟେ ପଟେ ମନ୍ଦିର ଭଙ୍ଗାକୁ ନେଇ ସ୍ଥାନୀୟ ବାସୀଙ୍କ ମଧ୍ୟରେ ବିଦ୍ରୋହ ଜୋର ଧରିଥିବା ବେଳେ ମନ୍ଦିରର ପୁନଃ ନିର୍ମାଣ ନେଇ ଅଧିବାସୀ ମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like