ଚୀନରେ ଭୀଷଣ ସଡ଼କ ଦୁର୍ଘଟଣା! ଟୋଲ୍‌ ଷ୍ଟେସନରେ ପିଟି ହୋଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୨୭ ଜଣଙ୍କ ମୃତ୍ୟୁ

ଚୀନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ରହିଛି। ମିଳିଥିବା ସୂଚନା ମୁତାବକ, ଉତ୍ତର-ପଶ୍ଚିମାଞ୍ଚଳ ଗାନସୁରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ଟୋଲ୍‌ ଷ୍ଟେସନରେ ଛିଡ଼ା ହୋଇଥିବା ଅନ୍ୟ ଗାଡ଼ିଗୁଡ଼ିକ ସହ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବସ୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେହିଠାରେ ହିଁ ୨୭ ଜଣ ଯାତ୍ରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଦୁର୍ଘଟଣାର ତୁରନ୍ତ ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପୋଲିସ ମୁତାବକ, ଗୁଇଝୋଉ ରାଜଧାନୀ ଗୁଇୟାଙ୍ଗ୍‌ଠାରୁ ପାଖାପାଖି ୧୭୦ କିମି ଦୂର ଦକ୍ଷିଣ-ପୂର୍ବାଞ୍ଚଳ ସିନ୍ଧୁ କାଉଣ୍ଟିରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ବସ୍‌ ଓଲଟି ପଡ଼ିବାରୁ ୨୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦ ଜଣ ଗମ୍ଭୀର ରୂପେ ଆହତ ହୋଇଛନ୍ତି।

ବସ୍‌ରେ ମୋଟ ୪୭ ଜଣ ଯାତ୍ରୀ ଥିଲେ। ପୋଲିସର କହିବା ମୁତାବକ, ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଗୁରୁତର ରହିଛି। କହି ରଖୁଛୁ ଯେ ଗତ ସପ୍ତାହରେ ମଧ୍ୟ ପଶ୍ଚିମ ସହର ଚୋଙ୍ଗ୍‌କିଙ୍ଗରେ ଏକ ବସ୍‌ ବ୍ରିଜ୍‌ରୁ ନଦୀକୁ ଖସି ପଡ଼ିବାରୁ ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ଦୁର୍ଘଟଣାର ୮ ସେକେଣ୍ଡର ଏକ ଭିଡିଓ ବି ଭାଇରାଲ ହୋଇଥିଲା। ସେଥିରେ ଦେଖିବାକୁ ମିଳିଥିଲା କି, ବସ୍‌ ଡ୍ରାଇଭର ଏବଂ ଯାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ପ୍ରଥମେ ଝଗଡ଼ା ଲାଗୁଛି। ଏହାର କିଛି ମିନିଟ୍‌ ପରେ ବସ୍‌ଟି ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ୁଛି।

କହି ରଖୁଛୁ, ଶୁକ୍ରବାର ଚୀନର ଚାଙ୍ଗସା ସହରରେ ଏକ ନଭଶ୍ଚୁମ୍ବୀ କୋଠାରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିପାରି ନ ଥିଲା। ସୂଚନା ମୁତାବକ, ନିଆଁ ଲାଗିବା ପରେ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଅନେକ ତାଲା ସମ୍ପୂର୍ଣ୍ଣ ଜଳିଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ତଳକୁ କୋଠାର ଅଂଶବିଶେଷ ଖସୁଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁସାରେ, ଏହି ନିଆଁ ବିଲ୍ଡିଂର ଉପର ଅଂଶକୁ ସଂପୂର୍ଣ୍ଣ ଛାରଖାର କରିଦେଇଥିଲା। ବିଲ୍ଡିଂରେ ରାଜ୍ୟର ଅନ୍ୟତମ ବଡ଼ ଟେଲିକମ୍ କମ୍ପାନୀ ଚାଇନା ଟେଲିକମ୍ ଅଫିସ୍‌ ମଧ୍ୟ ଥିଲା। ସିସିଟିଭିର ଏକ ଫୁଟେଜ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ହୁତୁହୁତୁ ହୋଇ ବିଲ୍ଡିଂ ଜଳୁଥିବା ଦେଖିବାକୁ ମିଳୁଛି।

ଖବର ପାଇ ସ୍ଥାନୀୟ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ୪୨ ତାଲାର ଏହି ବିଲ୍ଡିଂର ବାହାର କାନ୍ଥରେ ନିଆଁ ଲାଗିଯାଇଥିଲା। ଆଗ୍ନିକମାନେ ନିଆଁକୁ ଆୟତ୍ତ କରିଥିଲେ। ପ୍ରକାଶ ଯେ ନିଆଁ ଲାଗିଥିବା ବିଲ୍ଡିଂ ଥିବା ସହରର ଜନସଂଖ୍ୟା ପାଖାପାଖି କୋଟିଏ ହେବ। ନିଆଁକୁ ଆୟତ୍ତ କରିବା ପାଇଁ ୩୬ ଦମକଳ ଟ୍ରକ ଓ ୨୮୦ ଦମକଳ କର୍ମୀ ନିୟୋଜିତ ହୋଇଥିଲେ।

Leave A Reply

Your email address will not be published.