ଭୟଙ୍କର ଦୁର୍ଘଟଣା: ପାକିସ୍ତାନର ବଲୁଚିସ୍ତାନରେ ଖାଇକୁ ଖସିଲା ବସ୍‌; ୩୯ ଯାତ୍ରୀ ମୃତ

ପାକିସ୍ତାନର ବଲୁଚିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ବଲୁଚିସ୍ତାନର ଲାସବେଲାରେ ଏକ ଯାତ୍ରୀବାହୀ ବସ୍‌ ଖାଇରେ ଖସି ପଡ଼ିବା ଫଳରେ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ଘଟିଛି। ଲାସବେଲାର ସହାୟକ କମିଶନର ହମଜା ଅଞ୍ଜୁମ୍ ଘଟଣା ବିଷୟରେ ସୂଚନା ଦେବାକୁ ଯାଇ କହିଛନ୍ତି, ପ୍ରାୟ ୪୮ ଜଣ ଯାତ୍ରୀଙ୍କୁ ନେଇ ବସ୍‌ କ୍ୱେଟାରୁ କରାଚି ଅଭିମୁଖେ ଯାଉଥିଲା।

ବସ୍‌ର ବେଗ ଦ୍ରୁତ ଥିଲା। ଏହା ଲାସବେଲା ନିକଟରେ ୟୁ-ଟର୍ନ ନେବା ସମୟରେ ବ୍ରିଜର ପୋଲକୁ ଜୋର୍‌ରେ ଧକ୍କା ଦେଇଥିଲା। ଏହାପରେ ବସ୍ ଏକ ଖାଇକୁ ଖସି ପଡିଥିଲା ଏବଂ ସେଥିରେ ନିଆଁ ଲାଗି ଯାଇଥିଲା।

ସହାୟକ କମିଶନର ଅଞ୍ଜୁମ କହିଛନ୍ତି ଯେ ଜଣେ ଶିଶୁ ଓ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସେପଟେ ସୂଚନା ମୁତାବକ, ଦୁର୍ଘଟଣାସ୍ଥଳରୁ ଏ ପର୍ଯ୍ୟନ୍ତ ୧୭ଟି ମୃତଦେହ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି।