ବ୍ରିଟେନ ମହାରାଣୀଙ୍କୁ ହତ୍ୟା କରିବାକୁ ପହଞ୍ଚିଲା ଭାରତୀୟ ଶିଖ୍ ଯୁବକ, ଜାଲିଆନାଓ୍ଵାଲା ବାଗ ନରସଂହାରର ନେବାକୁ ଚାହୁଁଥିଲା ପ୍ରତିଶୋଧ!

ଜାଲିଆନଓ୍ଵାଲାବାଗ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ଜଣେ ଯୁବକ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ରାଜପ୍ରାସାଦରେ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରିଥିଲା। ଏହି ସମୟରେ ବ୍ରିଟିଶ ରାଣୀ ଏଲିଜାବେଥ ଖ୍ରୀଷ୍ଟମାସ ପାଳନ କରିବାକୁ ୱିଣ୍ଡସର କ୍ୟାସଲରେ ପହଞ୍ଚିଥିଲେ। କୁହାଯାଉଛି କି, ଏହି ଆକ୍ରମଣକାରୀ ଯସୱନ୍ତ ସିଂ ଚେଲ ୧୯ ବର୍ଷର ଜଣେ ଯୁବକ ଏବଂ ସେ ୧୯୧୯ ମସିହାରେ ହୋଇଥିବା ଅମୃତସର ନରସଂହାରର ପ୍ରତିଶୋଧ ନେବା ପାଇଁ ମହାରାଣୀଙ୍କୁ ହତ୍ୟା କରିବାକୁ ଆସିଥିଲେ। ପୋଲିସ ତାଙ୍କୁ ମାନସିକ ସ୍ୱାସ୍ଥ୍ୟ ଆଇନ ଅଧୀନରେ ଗିରଫ କରିଛି।
ରିପୋର୍ଟ ଅନୁଯାୟୀ, ଲଣ୍ଡନ ପୋଲିସ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ କରୁଛି। ଯସୱନ୍ତ ସିଂଙ୍କୁ ଚିକିତ୍ସାକର୍ମୀଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏହି ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଆକ୍ରମଣକାରୀ ଯସୱନ୍ତ ସିଂ ତୀର ବାଣରେ ସଜ୍ଜିତ ରହିଥିବା ଦେଖାଯାଇଛି। ଯସୱନ୍ତ ସିଂ ଖ୍ରୀଷ୍ଟମାସ ଦିନ ସ୍ନାପଚାଟରେ ସକାଳ ୮ଟା ୬ରେ ଏକ ଭିଡିଓ ଅପଲୋଡ୍ କରିଥିଲେ।
ଯସୱନ୍ତ ନିଜ ସ୍ୱର ଲୁଚାଇବା ପାଇଁ ଫିଲ୍ଟର ବ୍ୟବହାର କରିଥିଲେ। ସେ ଏକ ହୁଡି ଏବଂ ମାସ୍କ ପିନ୍ଧିଥିଲେ। ତାଙ୍କ ପୋଷାକ ଷ୍ଟାର୍ ୱାର୍ସ ଫିଲ୍ମ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଭଳି ମନେ ହେଉଥିଲା। ଭିଡିଓରେ ସେ କହୁଛନ୍ତି, ‘ମୋତେ କ୍ଷମା କରନ୍ତୁ। ମୁଁ ଯାହା କରିଛି ସେଥିପାଇଁ କ୍ଷମା କରନ୍ତୁ ଏବଂ ଯାହା କିଛି କରିବି ସେଥିପାଇଁ ମଧ୍ୟ କ୍ଷମା କରିବେ। ମୁଁ ରାଣୀ ଏଲିଜାବେଥଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବି। ଏହା ୧୯୧୯ର ଜାଲିଆନଓ୍ଵାଲାବାଗ ହତ୍ୟାକାଣ୍ଡରେ ନିହତ ହୋଇଥିବା ଲୋକଙ୍କ ପାଇଁ ପ୍ରତିଶୋଧ’। ଯସୱନ୍ତ କହିଛନ୍ତି କି, ‘ଏହା ସେହି ଲୋକମାନଙ୍କର ପ୍ରତିଶୋଧ, ଯେଉଁମାନଙ୍କୁ ଜାଲିଆନଓ୍ଵାଲାବାଗରେ ହତ୍ୟା କରାଯାଇଥିଲା। ସେମାନଙ୍କ ଜାତି ଯୋଗୁ ସେମାନଙ୍କୁ ପ୍ରତାଡ଼ିତ କରାଯାଇଥିଲା ଏବଂ ଭେଦଭାବ କରାଯାଉଥିଲା। ମୁଁ ଜଣେ ଭାରତୀୟ ଶିଖ୍। ମୋ ନାମ ଯସୱନ୍ତ ସିଂ ଚେଲ୍। ମୋ ନାମ ଡାର୍ଥ ଜୋନ୍ସ’।
କହି ରଖୁଛୁ କି, ଜାଲିଆନଓ୍ଵାଲାବାଗ ହତ୍ୟାକାଣ୍ଡରେ ୩୭୯ ଲୋକଙ୍କୁ ଇଂରେଜମାନେ ଗୁଳି କରି ହତ୍ୟା କରିଥିଲେ ଏବଂ ୧୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭିଡିଓ ବ୍ୟତୀତ ସ୍ନାପଚାଟରେ ଏକ ବାର୍ତ୍ତା ମଧ୍ୟ ଦିଆଯାଇଥିଲା। ଏଥିରେ କୁହାଯାଇଥିଲା କି, ଯେଉଁ ଲୋକଙ୍କ ସହିତ ମୁଁ ଭୁଲ୍ କରିଥିଲି କିମ୍ବା ସେମାନଙ୍କୁ ମିଛ କହିଥିଲି, ସେମାନେ ମୋତେ କ୍ଷମା କର। ସେପଟେ ପୋଲିସ କିନ୍ତୁ ଏ ପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ନାମ ପ୍ରକାଶ କରି ନାହିଁ। ପୋଲିସ କହିଛି ଯେ ଆକ୍ରମଣକାରୀ ରାଜପ୍ରାସାଦର ବଗିଚାରେ ବୁଲୁଥିବା ସମୟରେ ସିସିଟିଭିରେ ଧରା ପଡିଥିଲେ। ସେ ବାହାର କାନ୍ଥକୁ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ବ୍ରିଟିଶ ପୋଲିସ ଏବେ ସେହି ଭିଡିଓକୁ ଯାଞ୍ଚ କରୁଛି।
It’s been revealed a 19-year-old intruder who was arrested in the grounds of Windsor Castle was armed with a crossbow – and it’s claimed he intended to assassinate the Queen. https://t.co/TWh1KQycs4 @MKarstunen #7NEWS pic.twitter.com/ADMQh9WWut
— 7NEWS Sydney (@7NewsSydney) December 27, 2021