କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ବ୍ଲେଡରେ କଟିଗଲା ଯୁବକଙ୍କ ବେକ

କେଦାରନାଥ ଯାତ୍ରା ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ । ହେଲିକପ୍ଟର ବ୍ଲେଡରେ ଲାଗି କଟିଗଲା ଯୁବକଙ୍କ ବେକ । ହେଲିପ୍ୟାଡ ନୀରିକ୍ଷଣ ସମୟରେ ଏଭଳି ଦୁର୍ଘଟଣା ଘଟିଛି ।

କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି । ଦୁର୍ଘଟଣା ସମୟରେ ଅମିତ କେଦାରନାଥ ହେଲିପ୍ୟାଡ୍‌ର ନୀରିକ୍ଷଣ କରୁଥିଲେ । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକ ଥିଲେ। ସେ ନୀରିକ୍ଷଣ ପାଇଁ ହେଲିକପ୍ଟରରୁ ଓହ୍ଲାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।

ସୂଚନାନୁସାରେ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ।

ଏପ୍ରିଲ ୨୫ ତାରିଖରୁ କେଦାରନାଥ ଯାତ୍ରା ଆରମ୍ଭ ହେଉଛି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ହେଲିକପ୍ଟର ମଧ୍ୟ କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ପହଞ୍ଚିସାରିଛି। ଚଳିତବର୍ଷ ପାଇଁ ଡିଜିସିଏ ୯ଟି ହେଲିକପ୍ଟରକୁ ଅନୁମତି ଦେଇଛି। ଆଜିଠାରୁ ଗଙ୍ଗୋତ୍ରୀ, ଯମୁନୋତ୍ରୀ ଧାମର କପାଟ ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହେଉଛି । ଉତ୍ତରାଖଣ୍ଡରେ ତିନି ଦିନ ହେଲାଣି ଖରାପ ପାଣିପାଗ ରହିଛି । ବର୍ଷା ପରେ କେଦାରନାଥ, ବଦ୍ରିନାଥରେ ତୁଷାରପାତ ହେଉଛି ।

 

Leave A Reply

Your email address will not be published.