କଳିଯୁଗର ପିଶାଚ ବାପା! ୨ ବର୍ଷର ପୁଅକୁ ବିକି ଦେଇ ଗାର୍ଲଫ୍ରେଣ୍ଡ ସହ ବାହାରିଗଲେ ଦେଶ ବୁଲିବାକୁ

ଚୀନରେ ଏକ କଳିଯୁଗର ବାପା ନିଜ ୨ ବର୍ଷର ପୁଅକୁ ବିକି ଉକ୍ତ ଟଙ୍କାରେ ଦେଶ ପରିଭ୍ରମଣ କରିଛି। ଏହି ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇସାରିଛି। ସେ ନିଜ ପୁଅର ଲାଳନପାଳନ କରିବାକୁ ଅସମର୍ଥ ହେବାରୁ ଏଭଳି ଏକ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଏହି ବ୍ୟକ୍ତିଙ୍କ ନାଁ ଶି’। ସେ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଏଣୁ ଉଭୟେ ଛାଡ଼ପତ୍ର ନେଇଥିଲେ। ସେମାନଙ୍କର ୨ଟି ପିଲା। ମା’ଙ୍କୁ ଝିଅର କଷ୍ଟଡି ମିଳିଥିବା ବେଳେ ବାପାଙ୍କୁ ପୁଅର ମିଳିଥିଲା। ବ୍ୟକ୍ତି ଜଣକ ଅନ୍ୟ ସହରରେ କାମ କରୁଥିବାରୁ ସେ ପୁଅକୁ ପରିବାରର ଅନ୍ୟ ସଦସ୍ୟଙ୍କ ପାଖରେ ଛାଡ଼ିଥିଲେ। କିନ୍ତୁ କିଛି ଦିନ ତଳେ ପୁଅକୁ ସେ ନିଜ ପାଖକୁ ନେଇ ଯାଇଥିଲେ। ମା’ଙ୍କ ସହ ଦେଖା କରେଇବା କହି ସେ ପୁଅକୁ ନେଇ ବିକ୍ରି କରିଦେଇଥିଲେ।

ସହରର ଜଣେ ନିଃସନ୍ତାନ ଦମ୍ପତିକୁ ସେ ପୁଅକୁ ବିକ୍ରି କରିଦେଇଥିଲେ। ଏଥିପାଇଁ ସେ ପାଖାପାଖି ୧୭ ଲକ୍ଷ ଟଙ୍କା ଆଣିଥିଲେ। ଏହି ପଇସାରେ ସେ ଗାର୍ଲଫ୍ରେଣ୍ଡ ସହ ଦେଶ ଭ୍ରମଣ କରିବାକୁ ବାହାରି ପଡ଼ିଥିଲେ।

କିଛିଦିନ ପରେ ପରିବାର ଲୋକେ ଶି’ଙ୍କୁ ପୁଅକୁ ଆଣିବାକୁ ଫୋନ କରିବାରୁ ସେ ଫୋନ ଉଠାଇନଥିଲେ। ଫଳରେ ତାଙ୍କ ଭାଇ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ପରେ ପୋଲିସ ଏକ ମାମଲା ରୁଜୁ କରି ଶି’କୁ ଗିରଫ କରିଛି। ଏହି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଅଛି ଯେ ସେ ପୂର୍ବରୁ ମଧ୍ୟ ପତ୍ନୀଙ୍କ ସହ ମିଶି ନିଜ ୨ ଝିଅଙ୍କୁ ଆଉ ଏକ ପରିବାରକୁ ବିକ୍ରି କରିଦେଇଛନ୍ତି। ପୋଲିସ ମାମଲାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.