ବନ୍ଦରରେ ପହଞ୍ଚିବା ପୂର୍ବରୁ ବୋଟ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୮୦ରୁ ଅଧିକ ଲୋକଙ୍କୁ କରାଗଲା ଉଦ୍ଧାର

ଫିଲିପାଇନ୍ସରେ ଏକ ବୋଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମନିଲାର ଦକ୍ଷିଣରେ ଥିବା ଏକ ବନ୍ଦର ଆଡ଼କୁ ଯାଉଥିବା ବେଳେ ବୋଟ୍‌ରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର ତୁରନ୍ତ ପରେ କୋଷ୍ଟ୍‍ ଗାର୍ଡ ଏବଂ ଉଦ୍ଧାରକାରୀ ଦଳ ୮୦ରୁ ଅଧିକ ଯାତ୍ରୀ ଓ ଚାଳକମାନଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ। ପବନ ଯୋଗୁ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ପାଣିକୁ ଡେଇଁ ପଡ଼ିଥିଲେ।

ତଟରକ୍ଷୀଙ୍କ ସୂଚନା ମୁତାବକ, କେବଳ ଦୁଇ ଯାତ୍ରୀଙ୍କ ପତ୍ତା ମିଳୁନାହିଁ। ଅଧିକାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି। M/V ଏସିଆ ଫିଲିପାଇନ୍ସରେ ୪୯ ଯାତ୍ରୀ ଏବଂ ଚାଳକ ଦଳର ୩୮ ସଦସ୍ୟ ଥିଲେ। ଉଦ୍ଧାର ପାଇଥିବା ଜଣେ ଯାତ୍ରୀଙ୍କ କହିବା ହେଲା, ବୋଟ ବନ୍ଦରଠାରୁ ପାଖାପାଖି ୧ କିଲୋମିଟର ଦୂରରେ ଥିଲା, ହଠାତ୍‌ ଏହି ସମୟରେ ବୋଟ୍‌ର ଦ୍ୱିତୀୟ ଡେକ୍‌ରୁ ଧୂଆଁ ବାହାରିବାକୁ ଲାଗିଥିଲା ଏବଂ ପରେ ସେଥିରୁ ନିଆଁ ବାହାରିଥିଲା।

ସୂଚନା ମୁତାବକ, ବୋଟ୍‌ରେ ପାଖାପାଖି ୧୬ଟି କାର୍‌ ଏବଂ ଟ୍ରକ୍‌ ଥିଲା। ତେବେ ଉଦ୍ଧାର ପରେ ଜଣେ ୪୩ ବର୍ଷୀୟା ମହିଳାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ତାଙ୍କର ଦୁଇ ସନ୍ତାନଙ୍କୁ ସ୍ଥାନୀୟ ଏକ ହୋଟେଲକୁ ନିଆଯାଇଥିଲା। ତଟରକ୍ଷୀଙ୍କ କହିବା ହେଲା, ଏହି ବୋଟ୍‌ ୪୦୦ ଯାତ୍ରୀ ନେଇଯିବାର କ୍ଷମତା ରଖିଥାଏ। ଏବେ ଘଟଣାର ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.