ଡିଆସିଲ ହେଲା ମହଙ୍ଗା, ଏକାଥରକେ ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ଡ଼ିଆସିଲ ହେଲା ମହଙ୍ଗା । ଏକାଥରକେ ହେଲା ଦୁଇଗୁଣ । ଏବେ ୧ ଟଙ୍କାରୁ ଏହା ୨ ଟଙ୍କାକୁ ବୃଦ୍ଧି ପାଇଛି । ଡିସେମ୍ବର ୧ ତାରିଖରୁ ଡିଆସିଲ ୨ ଟଙ୍କାରେ ବିକ୍ରି ହେବ । ଏମିତି ସୂଚନା ମିଳିଛି । ଶିବକାଶୀରେ ଥିବା ୫ ଟି ବୃହତ ଡିଆସିଲ ଶିଳ୍ପର ପ୍ରତିନିଧିଙ୍କ ଦ୍ୱାରା ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।

ଏହି ବୈଠକରେ ଶିଳ୍ପପତିମାନେ ଏକ ଗଣମାଧ୍ୟକୁ ମତ ଦେଇଛନ୍ତି ଯେ ଡିଆସିଲରେ ବ୍ୟବହୃତ ୧୪ ଟି କଞ୍ଚା ମାଲ୍‌ର ଦାମ ବୃଦ୍ଧି ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୃଦ୍ଧି ଦୀର୍ଘ ୧୪ ବର୍ଷ ପରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଶେଷ ଥର ପାଇଁ ୨୦୦୭ ମସିହାରେ ଡିଆସିଲର ମୂଲ୍ୟ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରାଯାଇଥିଲା ବୋଲି ଡିଆସିଲ୍‌ ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି ।

matchbox
p.c : lokmat.com

ଡିଆସିଲରେ ବ୍ୟବହୃତ ରେଡ୍‌ ଫସଫରସର ମୂଲ୍ୟ ୪୨୫ ଟଙ୍କାରୁ ବୃଦ୍ଧି ପାଇ ଏବେ ୮୧୦ ଟଙ୍କାରେ ପହଞ୍ଚିଛି । ସେହିପରି ମହମର ମୂଲ୍ୟ ୫୮ ଟଙ୍କାରୁ ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚିଛି । ଏହାବ୍ୟତୀତ ଅକ୍ଟୋବର ୧୦ ତାରିଖ ପରଠୁ ବକ୍ସ ବୋର୍ଡ, ପେପର, ସ୍ପିଲଣ୍ଟ, ପୋଟାସିୟମ କ୍ଲୋରେଟ ଏବଂ ସଲଫର ର ଦାମ ଅହେତୁକ ବୃଦ୍ଧି ପାଇଛି ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା ।

ଏଥିସହିତ ତୈଳ ଦର ମଧ୍ୟ ବୃଦ୍ଧି ପାଇଥିବାରୁ ଟ୍ରାନ୍ସପୋର୍ଟିଂରେ ମଧ୍ୟ ଖର୍ଚ୍ଚ ବଢ଼ିବ ବୋଲି ଶିଳ୍ପପତିମାନେ କହିଥିଲେ । ପୂର୍ବରୁ ୬୦୦ ମ୍ୟାଚ ବକ୍ସ (ଡିଆସିଲ) ଥିବା ଏକ ବଣ୍ଡଲର ଦାମ ୨୭୦ ଟଙ୍କାରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ଏବେ ଏହାକୁ ୬୦ ପ୍ରତିଶତ ବଢ଼ାଯାଇ ବଣ୍ଡଲ ପିଛା ୪୩୦ ଟଙ୍କାରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯିବ ।

ଏହାଛଡ଼ା ଜିଏସ୍‌ଟି ୧୨% ଓ ଟ୍ରାନ୍ସପୋର୍ଟିଂ ଖର୍ଚ୍ଚ ଏଥିରେ ଅଲଗା ଯୋଗ କରାଯିବ ବୋଲି ନେସନାଲ ସ୍ମଲ ମ୍ୟାଚବକ୍ସ ମାନୁଫ୍ୟାକଚର ଆସୋସିଏସନ ର ସେକ୍ରେଟାରୀ ଭି. ଏସ ଶିଥୁରାଥିନମ ପ୍ରକାଶ କରିଛନ୍ତି । ଏହି ଶିଳ୍ପ ତାମିଳନାଡୁରେ ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.