ମରାମତି ପାଇଁ ଉପକରଣ ଆଣିବାକୁ ଯାଇଥିଲେ ଯନ୍ତ୍ରୀ, ଭିତରକୁ ଟାଣିନେଲା ବିମାନ ଇଞ୍ଜିନ

ବିମାନ ଇଞ୍ଜିନରେ ଫସିଗଲେ ମେକାନିକ । ଯାହା ଫଳରେ ଘଟଣାସ୍ଥଳରେ ହିଁ ମେକାନିକଙ୍କର ମୃତ୍ୟ ଘଟିଛି । ଇରାନର ଚାବହାର କୋଣାର୍କ ଏୟାରପୋର୍ଟରେ ଘଟିଛି ଏଭଳି ଏକ ଅଭାବନୀୟ ମର୍ମନ୍ତୁଦ ଦୁର୍ଘଟଣା । ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଥର ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ଜୁଲାଇ ୩ରେ ଦକ୍ଷିଣ ଇରାନର ଚାବାହର କୋଣାର୍କ ବିମାନବନ୍ଦରରେ ଜଣେ ସ୍ଥାନୀୟ ଟେକ୍ନିସିଆନ ଅବଲଫାଜଲ ଆମିରି ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବାବେଳେ ବୋଇଙ୍ଗ ଯାତ୍ରୀବାହୀ ବିମାନର ଇଞ୍ଜିନରେ ଫସି ରହିଥିଲେ । ରିପୋର୍ଟ ଅନୁଯାୟୀ, ବୋଇଙ୍ଗ ଜେଟଟି ସକାଳ ୭ : ୧୫ ରେ ତେହେରାନରେ ପହଞ୍ଚି ଚାବାହାର କୋଣାର୍କ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା ।

ଏହାପରେ କଭର ଫ୍ଲାପ ଖୋଲା ଯିବା ସହିତ ପରୀକ୍ଷା ଏବଂ ଯାଞ୍ଚ ପାଇଁ ଡାହାଣ ପାର୍ଶ୍ୱ ଇଞ୍ଜିନ୍ ଅନ କରାଯାଇଥିଲା । ଏନେଇ ଆବଶ୍ୟକ ଅନୁଯାୟୀ ଇଞ୍ଜିନ ଚାରିପାଖରେ ଏକ ସୁରକ୍ଷା ଜୋନ୍ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ସେହି ସମୟରେ ମେକାନିକ୍ ଇଞ୍ଜିନର ଟେଷ୍ଟିଙ୍ଗ ପାଇଁ ଆବଶ୍ୟକୀୟ ଏକ ଉପକରଣ ଆଣିବାକୁ ଯାଉଥିବା ବେଳେ ଇଞ୍ଜିନର ସକ୍ସନ ପାଇପ ରାସ୍ତାରେ ଭୁଲରେ ଆସିଯାଇଥିଲେ ଏହା ଫଳରେ ଇଞ୍ଜିନଟି ତାଙ୍କୁ ଭିତରକୁ ଟାଣି ନେଇଥିଲା ଏବଂ ତତକ୍ଷଣାତ ତାଙ୍କ ମୃତ୍ୟୁ ଘଟିଥିଲା ।

ଯେହେତୁ ଇଞ୍ଜିନଟି ଟେଷ୍ଟ ରନରେ ଥିଲା ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଯଦିଓ ବିମାନବନ୍ଦରର ଅଗ୍ନିଶମ ବାହିନୀ ଶୀଘ୍ର ପହଞ୍ଚି ତୁରନ୍ତ ନିଆଁ ଲିଭାଇଥିଲେ ତଥାପି ମେକାନିକଙ୍କୁ ବଞ୍ଚାଇପାରିନଥିଲେ ଏବଂ ମେକାନିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘରୋଇ ପରିବହନକାରୀ ଭାରେଶ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିମାନଟି ମରାମତି ପାଇଁ ତଳେ ଥିଲା ଏବଂ ଇରାନର ବିମାନ ଚଳାଚଳ କର୍ତ୍ତୃପକ୍ଷ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏଭଳି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ବିମାନରେ ଚାଲୁଥିବା ଇଞ୍ଜିନ୍ ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଚଳିତ ବର୍ଷ ମେ ମାସରେ, ଆମଷ୍ଟରଡାମ୍ ମୁଖ୍ୟ ବିମାନବନ୍ଦରର ଏକ ଇଞ୍ଜିନରେ ଅଟକି ଯିବା ପରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ଅନେକ ଯାତ୍ରୀଙ୍କ ସାମ୍ନାରେ ଘଟିଥିଲା ​​ଯେତେବେଳେ ଜଣେ ବ୍ୟକ୍ତି ଇଞ୍ଜିନ ଭିତରକୁ ଟାଣି ହୋଇଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲେ ।

ସେହିଭଳି ଶିଫୋଲରେ ମଧ୍ୟ ଏକ ଭୟଙ୍କର ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ବିମାନର ଇଞ୍ଜିନରେ ଫସି ରହିଯାଇଥିଲେ । ଇଞ୍ଜିନରେ ଫସିଯିବା କାରଣରୁ ଏଭଳି ଅନେକ ନିରୀହ ଲୋକଙ୍କ ଜୀବନ ଯାଉଛି ତେଣୁ ଏଭଳି ଇଞ୍ଜିନ ପାଖକୁ ଯିବା ପୂର୍ବରୁ ମେକାନିକମାନେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିବା ଉଚିତ ।

You might also like