ଚା’ ବିକ୍ରେତାଙ୍କ ନିକଟକୁ ଆସିଲା ୪୯ କୋଟି ଟଙ୍କାର ନୋଟିସ୍, ବେଆଇନ ଭାବେ ହେଉଥିଲା ଟଙ୍କା କାରବାର
ସୂଚନା ଅନୁସାରେ ଗତ ବର୍ଷ ଚା’ ବିକ୍ରେତାଙ୍କ ନିକଟକୁ ଇନକମ୍ ଟ୍ୟାକ୍ସ ବିଭାଗ ତରଫରୁ ଦୁଇ ଥର ନୋଟିସ୍ ଆସିଥିଲା । ନୋଟିସ୍ ଇଂରାଜୀରେ ଲେଖା ହୋଇଥିବାରୁ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଯେତେବେଳେ ତୃତୀୟ ଥର ପାଇଁ ସମାନ ନୋଟିସ୍ ତାଙ୍କ ପାଖକୁ ଆସିଥିଲା, ସେ ଚିନ୍ତାରେ ପଡ଼ିଥିଲେ ।

ଜଣେ ଚା’ ବିକ୍ରେତାଙ୍କ ନିକଟକୁ ଆସିଛି କୋଟି କୋଟି ଟଙ୍କାର ନୋଟିସ୍ । ଯାହାକୁ ଦେଖିବା ପରେ ଚା’ ବିକାଳି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚା’ ବିକି ପେଟ ପୋଷୁଥିବା ବେଳେ ଏଭଳି ନୋଟିସ ତାଙ୍କ ନିଦ ହଜାଇଛି । ଏଭଳି ଘଟଣା ଗୁଜୁରାଟର ପାଟନାରୁ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ ଗତ ବର୍ଷ ଚା’ ବିକ୍ରେତାଙ୍କ ନିକଟକୁ ଇନକମ୍ ଟ୍ୟାକ୍ସ ବିଭାଗ ତରଫରୁ ଦୁଇ ଥର ନୋଟିସ୍ ଆସିଥିଲା । ନୋଟିସ୍ ଇଂରାଜୀରେ ଲେଖା ହୋଇଥିବାରୁ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ଯେତେବେଳେ ତୃତୀୟ ଥର ପାଇଁ ସମାନ ନୋଟିସ୍ ତାଙ୍କ ପାଖକୁ ଆସିଥିଲା, ସେ ଚିନ୍ତାରେ ପଡ଼ିଥିଲେ । ତୁରନ୍ତ ଓକିଲଙ୍କ ପାଖକୁ ଯାଇଥିଲେ ଚା’ ବିକାଳି । ଓକିଲଙ୍କ କଥା ଶୁଣିବା ପରେ ଚା’ ବିକାଳିଙ୍କ ହୋସ ଉଡ଼ି ଯାଇଥିଲା । କାରଣ ଆୟକର ବିଭାଗ ତରଫରୁ ଚା’ ବିକାଳିଙ୍କ ନିକଟକୁ ଆସିଥିଲା ୪୯ କୋଟି ଟଙ୍କାର ନୋଟିସ୍ । କିନ୍ତୁ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
ଖେମରାଜ ଦେବ ନାମକ ଚା’ ବିକ୍ରେତାଙ୍କ ନିକଟକୁ ଆସିଛି ଏଭଳି ନୋଟିସ । ନୋଟିସ୍ ଆସିବା ପରେ ସେ ତୁରନ୍ତ ଯାଞ୍ଚ କରିବା ଆରମ୍ଭ କରିଥିଲେ । ଏବଂ ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରେ ବେଆଇନ୍ ଭାବେ ୩୪ କୋଟି ଟଙ୍କାର କାରବାର ହୋଇଛି । ଯେଉଁଥିପାଇଁ ତାଙ୍କ ନିକଟକୁ ୪୯ କୋଟି ଟଙ୍କାର ନୋଟିସ୍ ଆସିଛି । ତଦନ୍ତରୁ ଜଣାପଡ଼ିଛି ଯେ ଖେମରାଜଙ୍କ ନିକଟକୁ ଆସୁଥିବା ତାଙ୍କର ଦୁଇ ଜଣ ପୁରୁଣା ଗ୍ରାହକ ତାଙ୍କ ସହିତ ଧୋକା କରିଛନ୍ତି । ଉକ୍ତ ଦୁଇ ଜଣ ପୁରୁଣା ଗ୍ରାହକ ହେଉଛନ୍ତି ଦୁଇ ଭାଇ । ଅଭିଯୁକ୍ତ ଦୁଇ ଜଣ ଖେମରାଜଙ୍କ ନିକଟକୁ ଗତ ୨୦୧୪ରୁ ଚା’ ପିଇବାକୁ ଆସୁଥିଲେ । ଉଭୟ ଖେମରାଜଙ୍କ ନାଁରେ ବ୍ୟାଙ୍କରେ ଏକ ନକଲି ଆକାଉଣ୍ଟ ଖୋଲି ବେଆଇନ୍ ଭାବେ ଟଙ୍କା କାରବାର କରୁଥିଲେ । ଯାହା ବିଷୟରେ ଖେମରାଜଙ୍କୁ କିଛି ବି ଜଣା ନଥିଲା ।
ଘଟଣା ବିଷୟରେ ଜାଣିବା ପରେ ଖେମରାଜ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଖେମରାଜଙ୍କ ଦୋକାନକୁ ଆସୁଥିବା ଏହି ଦୁଇ ଅଭିଯୁକ୍ତଙ୍କ ନାଁ ହେଉଛି ଅଲପେଶ ପଟେଲ ଏବଂ ବିପୁଲ ପଟେଲ । ଅଭିଯୁକ୍ତମାନେ ଖେମରାଜଙ୍କ ନାଁରେ ଏକ ଆକାଉଣ୍ଟ ଖୋଲି ସେଥିରେ ଅବୈଧ ଭାବେ ପାଖାପାଖି ୩୪ କୋଟି ଟଙ୍କାର କାରବାର କରିଥିଲେ । ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଧରିବା ପରେ ପୋଲିସ ପଚରା ଉଚୁରା ଜାରି ରଖିଛି ।