ଦଶହରାରେ ରାଜଧାନୀକୁ ଉଡାଇବାକୁ ପ୍ଲାନ କରୁଥିଲା ପାକିସ୍ତାନ ଆତଙ୍କୀ: AK-47 ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ୨ଟି ପିସ୍ତଲ ଜବତ କଲା ପୋଲିସ

ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ। ବଡ଼ ଆତଙ୍କୀ ହମଲା ଯୋଜନା ପଣ୍ଡ ହୋଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସ୍ରଫ ଓରଫ୍ ଅଲିକୁ ଗିରଫ କରିଛି। ଏହି ଆତଙ୍କବାଦୀ ରାଜଧାନୀରେ ଆକ୍ରମଣ କରିବାର ଯୋଜନା ତିଆରି କରୁଥିଲା ବୋଲି ଜଣାପଡ଼ିଛି। ସେ ପାକିସ୍ତାନ ପଞ୍ଜାବର ନାଗରିକ । ଜାଲ ପରିଚୟ ପତ୍ର ଦେଇ ୧୫ବର୍ଷ ଦିଲ୍ଲୀରେ ରହୁଥିଲା। ପାର୍ବଣରେ ଆତଙ୍କୀ ହମଲା ପାଇଁ ଯୋଜନା କରୁଥିଲା ଅସରଫ। ଆକ୍ରମଣ ପାଇଁ ପାକ୍‌ ଗୁଇନ୍ଦା ସଂସ୍ଥା ISI ଠାରୁ ନେଇଥିଲା ଟ୍ରେନିଂ।

ଗିରଫ ହୋଇଥିବା ଆତଙ୍କୀ ପାଖରୁ ଗୋଟିଏ AK-47 ରାଇଫଲ, ହ୍ୟାଣ୍ଡ ଗ୍ରେନେଡ, ୨ଟି ପିସ୍ତଲ, ମାଗାଜିନ ଓ ୬୦ ରାଉଣ୍ଡ ଗୁଳି ଜବତ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ମହମ୍ମଦକୁ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ କରିଥିଲା ବୋଲି ଜଣାପଡ଼ିଥିବା ବେଳେ ଅଧିକ ସୂଚନା ପାଇଁ ତାକୁ ପଚରାଉଚରା କରାଯାଉଛି।

ସୂଚନା ମୁତାବକ, ମହମ୍ମଦ ଜାଲ ଭାରତୀୟ ପରିଚୟ ପତ୍ର ଆଧାରରେ ଦିଲ୍ଲୀର ଶାସ୍ତ୍ରୀ ନଗରରେ ରହିଆସୁଥିଲା । ସେଠାରେ ରହି ଦିଲ୍ଲୀର ବିଭିନ୍ନ ସ୍ଥାନ ବିଷୟରେ ତଥ୍ୟ ନେବା ସହ ଆକ୍ରମଣର ଯୋଜନା କରୁଥିଲା । ସେ ପାକିସ୍ତାନ ଆଇଏସଆଇ ଦ୍ୱାରା ପ୍ରଶିକ୍ଷଣ ନେଇଥିବା ପ୍ରାଥମିକ ସୂଚନାରୁ ଜାଣିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଦିଲ୍ଲୀରୁ ଅନ୍ୟ ଜଣେ ସନ୍ଦିଗ୍ଧ ଯୁବକକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଦିଲ୍ଲୀର ଏକ ମହାବିଦ୍ୟାଳୟରେ ନାମ ଲେଖି ଛାତ୍ର ଭାବେ ରହୁଥିଲେ ବି କୌଣସି ଶ୍ରେଣୀରେ ଯୋଗ ନଦେବା ସହ ତାଠାରୁ ଅନେକ ମାରଣାସ୍ତ୍ର ଥିବା ସନ୍ଦେହରେ ପୁଲିସ ତାକୁ ଗିରଫ କରିଥିଲା । ପରେ ସେ ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଥିବା ସ୍ୱୀକାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.