ଓଟି ଟେବୁଲ ସ୍ୱଚ୍ଛ ନଥିବାରୁ ଅଭିଯୋଗ କଲେ ରୋଗୀ, କିନ୍ତୁ ଡାକ୍ତର କଲେ ନାହିଁ ଅପରେସନ

ରାଞ୍ଚିର ରିମସ୍ ବା ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ଜଣେ ରୋଗୀ ଏହାର ଭିଡିଓ ଭାଇରାଲ କରିଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହି ହସ୍ପିଟାଲରେ ଆଦୌ ସ୍ୱଚ୍ଛତା ନାହିଁ । ବ୍ୟବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡିଥିବା ଦେଖି ରୋଗୀ ଜଣକ ଅଭିଯୋଗ କରିଥିଲେ । ତେବେ ତାଙ୍କ ଅଭିଯୋଗ ପରେ ତାଙ୍କୁ କୌଣସି ଡାକ୍ତର ଚିକିତ୍ସା ନକରି ଫେରାଇ ଦେଇଛନ୍ତି ।

RIMS
ରାଞ୍ଚି ସହରରେ ଥିବା ରିମସ୍ ହସ୍ପିଟାଲରେ ଗତ ବୁଧବାର ଦିନ ରଞ୍ଜିତ କୁମାର ନାମକ ଜଣେ ବ୍ୟକ୍ତି ତାଙ୍କର ହାତ ଅପରେସନ କରିବା ପାଇଁ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ । ଯେତେବେଳେ ରଞ୍ଜିତଙ୍କୁ ଅପରେସନ ଥିଏଟରକୁ ନିଆଗଲା, ସେତେବେଳେ ଓଟି ଭିତରେ ଥିବା ଅପରେସନ ଟେବୁଲ ପୂରା ମଇଳା ହୋଇ ପଡିଥିଲା ଓ ଟେବୁଲରେ ପଡିଥିବା ମ୍ୟାଟ୍‌ରେ ରକ୍ତ ଲାଗିଥିଲା । ପୁଣି ପୂର୍ବ ଅପରେସନ୍‌ରୁ ମାଂସର ଟୁକୁରା ମଧ୍ୟ ପଡ଼ିଥିଲା । ଯାହାକୁ କର୍ମଚାରୀମାନେ ସଫା କରିନଥିଲେ । ଆଉ ଯେତେବେଳେ ରଞ୍ଜିତଙ୍କୁ ଅପରେସନ ଥିଏଟରରେ ପିନ୍ଧିବା ପାଇଁ ଗାଉନ ଦିଆଗଲା ସେଥିରେ ରକ୍ତ ଲାଗିଥିଲା । ଭୀଷଣ ଦୁର୍ଗନ୍ଧ ମଧ୍ୟ ହେଉଥିଲା । ଯାହା ଫଳରେ ରଞ୍ଜିତଙ୍କ ଦେହ ଆହୁରି ଖରାପ ହୋଇଗଲା ।
ନର୍ସ ଯେତେବେଳେ ରଞ୍ଜିତଙ୍କୁ ଅପରେସନ୍‌ ଟେବୁଲ ଉପରେ ଶୋଇବାକୁ କହିଲେ ସେତେବେଳେ ରଞ୍ଜିତ ଟେବୁଲ ଉପରେ ପଡିଥିବା ମ୍ୟାଟ୍‌କୁ ବଦଳାଇବା ପାଇଁ କହିଥିଲେ । ରଞ୍ଜିତଙ୍କ କଥାରେ ନର୍ସ ଜଣକ ରାଗି ଯାଇଥିଲେ । ଆଉ ବହୁ ସମୟ ପର୍ଯ୍ୟନ୍ତ ତାଙ୍କ ସହ ଯୁକ୍ତି ତର୍କ କରିଥିଲେ । ନର୍ସ ଓ ରଞ୍ଜିତଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାରୁ ଡାକ୍ତର ଅପରେସନ ଥିଏଟର ଛାଡି ଚାଲିଗଲେ । ଯାହ ଫଳରେ ରଞ୍ଜିତଙ୍କୁ ସେଠାରୁ ଚିକିତ୍ସା ନହୋଇ ଫେରିବାକୁ ପଡିଥିଲା । ସେଠାରୁ ଫେରି ହସ୍ପିଟାଲ ଅବ୍ୟବସ୍ଥାର ଭିଡିଓକୁ ଭାଇରଲ କରିଥିଲେ ରଞ୍ଜିତ । ଯାହାକୁ ନେଇ ସବୁଠାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.