ଅପମାନ ଦେଲେ ପିଲାମାନେ, ୪ କୋଟି ଟଙ୍କାର ସମ୍ପତ୍ତିରୁ ବଞ୍ଚିତ କଲେ ବାପା

ବାପାଙ୍କୁ ଅପମାନ ଦେଲେ ପିଲାମାନେ । ବାପା ଅପମାନ ସହି ନପାରି କଲେ ଏମିତି କାମ, ଏକଥା ଶୁଣିଲେ ଯିଏ ନାହିଁ ସେ କହୁଛି ଯେସାକୁ ତେଷା, ଦର୍ଶକବନ୍ଧୁ ଆଜିର ଦୁନିଆରେ ବାପାମାଆଙ୍କୁ ପିଲାମାନେ ବହୁ ହତାଦର କରୁଥିବାର ଆପଣ ଦେଖୁଥିବେ ଓ ଶୁଣୁଥିବେ ମଧ୍ୟ । ତେବେ ଅନେକ ବାପାମାଆ ମଧ୍ୟ ନିଜ ଛୁଆ ଭାବି ସେମାନଙ୍କର ଅପମାନ ସହିଯା’ନ୍ତି, ମୁହଁ ଖୋଲନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ବାପାଙ୍କ କଥା କହିବୁ, ଯିଏ ପରିପକ୍ୱ ବୟସରେ ମଧ୍ୟ ତାଙ୍କ ପିଲାମାନଙ୍କୁ ଉଚିତ ଦଣ୍ଡ ଦେଇଛନ୍ତି । ଚାଲନ୍ତୁ ସେହି ବାପାଜଣକ କିଏ ? ତାଙ୍କ ବିଷୟରେ ଜାଣିବା ।
ଯେତେବେଳେ କେହି ନିଜ ଲୋକଙ୍କ ଦ୍ୱାରା ଆଘାତ ପାଆନ୍ତି, ତାଙ୍କ ହୃଦୟରେ କ’ଣ ବିତୁଥାଏ ତାହା କେବଳ ସେହି ବ୍ୟକ୍ତି ବୁଝିପାରିବେ ଯିଏ ଏହାକୁ ନିଜେ ଅନୁଭବ କରିଛନ୍ତି । ପିଲାମାନଙ୍କ ଦ୍ୱାରା ଅପମାନିତ ହେଲେ ପିତାମାତା କେଉଁ ପଦକ୍ଷେପ ନେଇପାରନ୍ତି ତାହାର ଏକ ଉଦାହରଣ ତାମିଲନାଡୁରେ ଦେଖିବାକୁ ମିଳିଛି । ପିଲାମାନଙ୍କ ଦ୍ୱାରା ଅପମାନିତ ହୋଇ, ଜଣେ ପୂର୍ବତନ ସେନା ଅଧିକାରୀ ତାଙ୍କର ଚାରି କୋଟି ମୂଲ୍ୟର ସମ୍ପତ୍ତି ଅରୁଲମିଘୁ ରେଣୁଗାମ୍ବଲ ଅମ୍ମାନ ମନ୍ଦିରକୁ ଦାନ କରିଛନ୍ତି । ଏହି ମନ୍ଦିରଟି ତାମିଲନାଡୁର ତିରୁଭନ୍ନାମଲାଇ ଜିଲ୍ଲାର ଆର୍ନି ସହର ନିକଟରେ ଅବସ୍ଥିତ । ତେବେ ଦାନ ବାକ୍ସରୁ ଦୁଇଟି ସମ୍ପତ୍ତିର କାଗଜପତ୍ର ମିଳିଛି । ସୂଚନା ଅନୁଯାୟୀ, ଜୁନ୍ ୨୪ ତାରିଖରେ ମନ୍ଦିରର ଦାନ ବାକ୍ସରୁ ୪ କୋଟି ଟଙ୍କାର ଦୁଇଟି ସମ୍ପତ୍ତିର ଦଲିଲ ମିଳିଥିଲା । ମନ୍ଦିର କର୍ତ୍ତୃପକ୍ଷଙ୍କ ସଦସ୍ୟମାନେ ଏହି ଦଲିଲଗୁଡ଼ିକ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରକୃତରେ, ତାମିଲନାଡୁର ଅରୁଲମିଘୁ ରେଣୁଗାମ୍ବାଲ ଅମ୍ମାନ ମନ୍ଦିରରେ, ମନ୍ଦିର କର୍ତ୍ତୃପକ୍ଷଙ୍କ ସଦସ୍ୟମାନେ ପ୍ରତି ଦୁଇ ମାସରେ ଥରେ ଭକ୍ତଙ୍କଠାରୁ ପ୍ରାପ୍ତ ଦାନ, ସାଧାରଣତଃ ନଗଦ ଦାନ, ଗଣନା କରିଥାନ୍ତି । ମଙ୍ଗଳବାର ଦିନ ଦାନ ଗଣନା କରିବା ସମୟରେ, ମନ୍ଦିର ସଦସ୍ୟମାନେ ୪ କୋଟି ଟଙ୍କାର ଦୁଇଟି ସମ୍ପତ୍ତିର ଅରିଜିନାଲ ଦଲିଲ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ତେବେ ଏହି ପୂର୍ବତନ ସୈନିକ କାହିଁକି ତାଙ୍କ ସମ୍ପତ୍ତି ଦାନ କରିଥିଲେ ଆପଣଙ୍କର ଜାଣିବାକୁ ଆଗ୍ରହ ଥିବ । ତେବେ ଜାଣନ୍ତୁ । ୪ କୋଟି ଟଙ୍କାର ସମ୍ପତ୍ତି ଦାନ କରିଥିବା ଭକ୍ତଙ୍କ ନାମ ଅବସରପ୍ରାପ୍ତ ସେନା ଅଧିକାରୀ ଏସ୍ ବିଜୟନ୍ । କେଶବପୁରମ୍ ଗାଁର ବାସିନ୍ଦା ବିଜୟନ୍ ପିଲାଦିନରୁ ସେହି ମନ୍ଦିରରେ ପୂଜା କରିଆସୁଛନ୍ତି । ତାଙ୍କ ପତ୍ନୀ ୫୬ ବର୍ଷୀୟା ଭି କସ୍ତୁରୀଙ୍କ ସହ ମତଭେଦ ହେବା ପରେ ସେ ପ୍ରାୟ ଦଶ ବର୍ଷ ଧରି ଏକା ରହୁଛନ୍ତି । ୬୫ ବର୍ଷୀୟ ପୂର୍ବତନ ସୈନିକଙ୍କର ଦୁଇଟି ଝିଅ ଅଛନ୍ତି, ଯେଉଁମାନେ ବିବାହିତ ଏବଂ ଚେନ୍ନାଇ ଏବଂ ଭେଲୋରରେ ରହୁଛନ୍ତି । ତଥାପି, ତାଙ୍କୁ ତାଙ୍କ ପରିବାରରୁ କୌଣସି ସମର୍ଥନ ମିଳୁନାହିଁ ବୋଲି ଜଣାପଡ଼ିଛି । ତାଙ୍କ ଝିଅମାନେ ତାଙ୍କ ନାମରେ ସମ୍ପତ୍ତି ହସ୍ତାନ୍ତର କରିବାକୁ ବାରମ୍ବାର ଚାପ ପକାଉଥିଲେ । ଦୈନନ୍ଦିନ ଖର୍ଚ୍ଚ ପାଇଁ ପିଲାମାନେ ତାଙ୍କୁ ଅପମାନିତ ମଧ୍ୟ କରୁଥିବା ଏସ ବିଜୟନ କହିଛନ୍ତି । ସେ କହିଛନ୍ତି, “ମୁଁ ମୋ କଥାରୁ ଫେରିବି ନାହିଁ । ମୁଁ ମନ୍ଦିରକୁ ଯେଉଁ ସମ୍ପତ୍ତି ଦାନ କରିଛି ତାହା ଫେରାଇ ନେବି ନାହିଁ । ମନ୍ଦିର କର୍ତ୍ତୃପକ୍ଷଙ୍କ ସହିତ ପରାମର୍ଶ କରିବା ପରେ ମୁଁ ଆଇନଗତ ଭାବରେ ମୋର ସମ୍ପତ୍ତି ମନ୍ଦିରକୁ ହସ୍ତାନ୍ତର କରିବି ।
ଦର୍ଶକବନ୍ଧୁ ଆପଣମାନଙ୍କ ମଧ୍ୟରୁ କେହି କେହି ଭାବୁଥିବେ କି ଏହି ବାପାଜଣକ କ୍ରୋଧିତ ହୋଇ ଏପରି ନିଷ୍ପତ୍ତି ନେଇପାରିଥାନ୍ତି । କିନ୍ତୁ ଆପଣ କୁହନ୍ତୁ ତ,ବାପାମାଆମାନଙ୍କୁ ଏଭଳି ଅସମ୍ମାନିତ କରିବା କେତେଦୂର ଠିକ ? ପ୍ରଶ୍ନ ଆପଣମାନଙ୍କୁ ଉପରେ ଛାଡିଲୁ ଉତ୍ତର ରଖିବେ ନିଶ୍ଚିତ ।

Also Read: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ ବକ୍ସରୁ ମିଳିଲା ଡାଟା