ପୁଣି ଆମେରିକାର ଏକ ହାଇସ୍କୁଲରେ ଫୁଟିଲା ଗୁଳି : ୪ ମୃତ, ୯ ଆହାତ

ପିଲା ଖେଳ ପାଲଟି ଯାଇଛି ଆମେରିକାରେ ସ୍କୁଲଗୁଡିକରେ ଗୁଳିକାଣ୍ଡ । ପୁଣି ଜଣେ ଛାତ୍ରର ନୃସଂଶ କାଣ୍ଡ ଘଟାଇଛି । ଜର୍ଜିଆର ଏକ ହାଇସ୍କୁଲରେ ଗୁଳିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ହତ୍ୟାକାରୀ ଜଣେ ୧୪ ବର୍ଷର ଛାତ୍ର ବୋଲି ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିକ୍ଷକ ଓ ୨ ଜଣ ଛାତ୍ର ଅଛନ୍ତି । ଗୁଳିକାଣ୍ଡ ଘଟଣା ପରେ ପୋଲିସ ସ୍କୁଲରେ ପହଞ୍ଚି ପରେ ଅଭିଯୁକ୍ତ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲା । ଅଭିଯୁକ୍ତର ନାଁ କୋଲ୍ଟ ଗ୍ରେ ସେ ସେହି ସ୍କୁଲରେ ହିଁ ପଢେ । ଏହି ନାବାଳକ ବିରୋଧରେ ସାବାଳକ ଭଳି ବ୍ୟବହାର କରାଯାଇ, ମୁକଦ୍ଦମା କରାଯିବ । କୋଲ୍ଟ ଗ୍ରେକୁ ନେଇ ପୂର୍ବରୁ ମଧ୍ୟ ଏଫବିଆଇ ସନ୍ଦେହ ପ୍ରକାଶ କରିଥିଲା ।

ଗତ ବର୍ଷ କୋଲ୍ଟ ଗ୍ରେର ପରିବାରଙ୍କୁ ପଚରାଉଚରା କରିଥିଲା ଏଫବିଆଇ । ସେ ସମୟରେ ସ୍କୁଲରେ ସୁଟିଂ କରିବାକୁ ଧମକ ଦେଇଥିଲା କୋଲ୍ଟ ଗ୍ରେ । କିନ୍ତୁ ତାକୁ ଗିରଫ କରାଯାଇ ନଥିଲା । କୋଲ୍ଡଙ୍କ ପରିବାର ଲୋକେ, ତା ଉପରେ ନଜର ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କୋଲ୍ଟ ଗ୍ରେ ତାର ଧମକକୁ ବର୍ଷେ ପରେ କାର୍ଯ୍ୟକାରୀ କରିଛି ।

ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ (X) ରେ ଉଲ୍ଲେଖ କରିଛନ୍ତି, ଏହି ବନ୍ଧୁକ ହିଂସାକୁ ସମାପ୍ତ କରିବାକୁ ହେବ । ଏଥିପାଇଁ ହ୍ବାଇଟ ହାଉସ ତରଫରୁ ଗନ୍ ଭାଓଲେନ୍ସ ପ୍ରିଭେନ୍ସନ ପଦକ୍ଷେପ ନିଆଯାଇଛି । ଆମେ ଏଥିରେ ଅଗ୍ରଗତି କରୁଛି । ହେଲେ ଏହି ହିଂସାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବାକୁ ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ସେହିପରି ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଉଦବେଗ ପ୍ରକାଶ କରି କହିଛନ୍ତି, ପ୍ରତିଦିନ ପରିବାର ଲୋକେ ଆଶଙ୍କାରେ ରହୁଛନ୍ତି ପିଲା ସ୍କୁଲକୁ ଗଲେ ଘରକୁ ଫେରିବ କି ନାହିଁ । ଏହାକୁ ଅଟକାଇବାକୁ ପଡିବ ବୋଲି କହିଛନ୍ତି କମଲା ହାରିସ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।