ଗୁଜରାଟ ନିର୍ବାଚନ ଡ୍ୟୁଟିରେ ମୁତୟନ ଯବାନ ନିଜର ଦୁଇ ସାଥୀଙ୍କ ଉପରେ AK-47ରୁ ଚଳାଇଲେ ଗୁଳି, ୨ ଜଣଙ୍କ ମୃତ୍ୟୁ

ଗୁଜରାଟର ପୋରବନ୍ଦରରେ ଭାରତୀୟ ରିଜର୍ଭ ବାଟାଲିୟନର ଯବାନମାନଙ୍କ ମଧ୍ୟରେ ସଂଘର୍ଷ ହେବାର ଖବର ଆସିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂଘର୍ଷ ପରେ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଥିଲା, ଯେଉଁଥିରେ ଦୁଇ ଯବାନଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସଂଘର୍ଷ କେଉଁ କାରଣରୁ ହୋଇଥିଲା, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।  ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିଛି। ଏଥିସହ ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ଏହି ପୂରା ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ଯେ ଯେଉଁ ଯବାନମାନଙ୍କ ମଧ୍ୟରେ ଏହି ସଂଘର୍ଷ ଏବଂ ଏହାପରେ ଗୁଳି ବିନିମୟ ହୋଇଥିଲା, ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ଯବାନ ନିଜ ସାଥୀମାନଙ୍କ ଉପରକୁ AK 47ରୁ ଗୁଳି ଚଳାଇଛନ୍ତି। ଯେଉଁ ସମୟରେ ଫାୟାରିଂ ହୋଇଥିଲା, ସେହି ସମୟରେ କୌଣସି ବି ଯବାନ ଡ୍ୟୁଟିରେ ନ ଥିଲେ। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। ବରିଷ୍ଠ ପୋଲିସ ଅଧିକାରୀମାନେ ମାମଲାକୁ ନେଇ ମୃତ ଯବାନମାନଙ୍କ ସାଥୀମାନଙ୍କୁ ପଚରାଉଚରା କରୁଛନ୍ତି।

ପୋରବନ୍ଦରର କଲେକ୍ଟର ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏଏମ୍‌ ଶର୍ମା ଘଟଣାକୁ ନେଇ କହିଛନ୍ତି, ଯେଉଁ ସମୟରେ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ସେହି ସମୟରେ ସେମାନେ ଡ୍ୟୁଟିରେ ନ ଥିଲେ। ଯବାନଙ୍କ ମଧ୍ୟରେ ସନ୍ଧ୍ୟାରେ କୌଣସି କଥାକୁ ନେଇ ପ୍ରଥମେ ଯୁକ୍ତି ଆରମ୍ଭ ହୋଇଥିଲା, ଯାହାକି କିଛି ସମୟ ଭିତରେ ସଂଘର୍ଷରେ ପରିଣତ ହୋଇଥିଲା। ଏହାପରେ ଜଣେ ଯବାନ ନିଜ AK-47 ରାଇଫଲରୁ କିଛି ରାଉଣ୍ଡ ଫାୟାରିଂ କରିଥିଲେ। ଘଟଣାରେ ସମ୍ପୃକ୍ତ ଯବାନ ଭାରତୀୟ ରିଜର୍ଭ ବାଟାଲିୟନ (ମଣିପୁର)ର, ଯାହାଙ୍କୁ ବର୍ତ୍ତମାନ ଗୁଜରାଟରେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ସହିତ ମୁତୟନ କରାଯାଇଛି। କହି ରଖୁଛୁ, ପୋରବନ୍ଦର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ଡିସେମ୍ବର ୧ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ବର ୫ରେ ହେବ। ଫଳାଫଳ ୮ ଡିସେମ୍ବରରେ ଆସିବ।

Leave A Reply

Your email address will not be published.