ୟୁପି: ଘୋଡ଼ି ଉପରେ ଚଢ଼ୁଥିଲା ବର, ଠିକ୍‌ ଏତିକି ବେଳେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଦ୍ରୁତଗାମୀ କାର୍‌; ୩ ମୃତ

ଉତ୍ତର ପ୍ରଦେଶର ମେରଠରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତ ବେଗରେ ଆସୁଥିବା ଏକ କାର୍‌ ୩ ଜଣ ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଛି, ଯାହାଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ଉତ୍ତର ପ୍ରଦେଶର ମେରଠରେ ବୁଧବାର ବିଳମ୍ବିତ ରାତିରେ ଦ୍ରୁତ ବେଗରେ ଆସୁଥିବା ଏକ କାର୍‌ ୩ ଜଣଙ୍କ ଜୀବନ ନେଇଯାଇଛି। ଏଥିରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଭିଯୋଗ ଅନୁସାରେ, ଗାଡ଼ି ଚଲାଉଥିବା ଚାଳକ ଖୁବ୍‌ ମଦ ପିଇଥିଲେ ଏବଂ ମଦ ନିଶାରେ ହିଁ ସେ ଏଭଳି କାଣ୍ଡ ଘଟଣାଇଥିଲେ। ବରଯାତ୍ରୀଙ୍କ ଉପରେ କାର୍‌ ମାଡ଼ିଯିବାରୁ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି।

ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା କାର୍‌ଟିକୁ ଜବତ କରିଛି ଏବଂ ଚାଳକଙ୍କୁ ଗିରଫ କରିଛି। ଘଟଣା ମେରଠ ଥାନା ଅନ୍ତର୍ଗତ ବାଗପତ୍‌ ରାଜପଥରେ ଘଟିଛି। ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ଏଠାରେ ଏକ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀମାନେ ସ୍ଥାନୀୟ ଏକ ରିସୋର୍ଟକୁ ଆସିଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରେ ବର ଘୋଡ଼ି ଉପରେ ଚଢ଼ୁଥିଲେ। ହଠାତ୍‌ ଏହି ସମୟରେ ସେଠାରେ ଭୟଙ୍କର ଦୁର୍ଘଟଣା ଘଟିଥିଲା।

ମେରଠରୁ ବାଗପତ୍‌ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏକ ମାରୁତି ଇକୋ କାର୍‌ ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। କୁହାଯାଉଛି କି, କାର୍‌ରେ ଫସି ଜଣେ ବରଯାତ୍ରୀ ରାସ୍ତାରେ ଅନେକ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇଯାଇଥିଲେ। ଦୁର୍ଘଟଣା ସମୟରେ ଉପସ୍ଥିତ ଥିବା ଲୋକେ ଏଣେତେଣେ ଧାଁଦୌଡ଼ କରିଥିଲେ। ଏଥିରେ ବରୁଣ ନାମକ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେପଟେ ଆହତ ବରଯାତ୍ରୀମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଏଥି ସହିତ ଏହି ଦୁର୍ଘଟଣାରେ ୬ରୁ ଅଧିକ ଲୋକ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ସେମାନଙ୍କର ଅଲଗା ଅଲଗା ହସ୍ପିଟାଲରେ ଚିକିତ୍ସା ଚାଲିଛି। ବରଯାତ୍ରୀ ଦଳରେ ସାମିଲ ଲୋକମାନଙ୍କର କହିବା ହେଲା, ଗାଡ଼ି ଚଳାଉଥିବା ଚାକଳ ମଦ ନିଶାରେ ଚୁର୍‌ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.