ଅକ୍ଟୋବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବ କି ବାତ୍ୟା ? ଲଘୁଚାପ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବକି ? ଯଦି ହୁଏ, କେତେ ରହିବ ତୀବ୍ରତା ? ସମ୍ଭାବ୍ଯ ବାତ୍ୟା ଉପରେ ବିଭିନ୍ନ ପାଣିପାଗ ସଂସ୍ଥାର ରହିଛି ନଜର । ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ସଂସ୍ଥା ସ୍କାଏମେଟ । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ପଶ୍ଚିମରୁ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ୨୩ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ । ଅବପାତ ଉପକୂଳ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରିବ । ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ଯଥେଷ୍ଟ ସମ୍ଭାବନା ରହିଛି । ତେବେ ସଠିକ ଆକଳନ ପାଇଁ କିଛି ସମୟ ଲାଗିବ ବୋଲି ସ୍କାଏମେଟ କହିଛି । ଯଦି ବାତ୍ୟା ସୃଷ୍ଟି ହୁଏ, ତେବେ ମୌସୁମୀ ଋତୁ ପରେ ଏହା ପ୍ରଥମ ସାଇକ୍ଲୋନ ହେବ ।
ସେହିପରି ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛନ୍ତି ଆକ୍ୟୁ ୱେଦରର ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ। ଆସନ୍ତା ସପ୍ତାହ ଆରମ୍ଭରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆସନ୍ତା ସପ୍ତାହ ଶେଷ ଆଡ଼କୁ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଜାସନ ନିକୋଲସ ଆକଳନ କରିଛନ୍ତି।
ଅନ୍ୟପଟେ ବାତ୍ୟା ନେଇ ଆକଳନ କରି ନାହିଁ ଆଇଏମଡି। ଭାରତୀୟ ପାଣିପାଗ ବିଭାଗ କହିଛି, କାଲି ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଲଘୁଚାପ ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ୨୪ ତାରିଖ ବେଳକୁ ଅବପାତର ରୂପ ନେବ । ଏହା ବାତ୍ୟାର ରୂପ ନେବ କି ନାହିଁ, ତାର ଆକଳନ ହୋଇ ନାହିଁ । ଲଘୁଚାପ ସୃଷ୍ଟି ହେବା ପରେ ଅର୍ଥାତ ୨୨ ତାରିଖ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି। ଲଘୁଚାପ ଓ ଅବପାତ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୨୩ ତାରିଖରେ ସାମନ୍ୟରୁ ମଧ୍ୟମ ଧରଣ ବର୍ଷା ଅନୁମାନ କରାଯାଇଥିବା ବେଳେ ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।