ନା ପଶିପାରିଲେ, ନା ବାହାରି ପାରିଲେ…; ରାତିସାରା କବାଟ ଫାଙ୍କରେ ଫସିରହିଲା ଚୋର; ସକାଳେ ମୃତ ଅବସ୍ଥାରେ ପାଇଲେ ଗ୍ରାମବାସୀ

ବାରାଣସୀର ସାରନାଥ ଅଞ୍ଚଳରେ ସୋମବାର ସକାଳେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସକାଳେ ଯେତେବେଳେ ଲୋକେ ନିଜ ନିଜ ଘରୁ ବାହାରିଥିଲେ, ତ ସେଠି ଥିବା ଏକ ପାଓ୍ଵାରଲୁମ୍ ସେଣ୍ଟରର କବାଟରେ ଜଣେ ଯୁବକ ଫସି ରହିଥିବାର ଦେଖିବାକୁ ପାଇଥିଲେ। ପାଖକୁ ଯିବା ପରେ ଗ୍ରାମବାସୀ ତାଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ଦାବି କରାଯାଉଛି କି, ଚୋରି ଉଦ୍ଦେଶ୍ୟରେ ପଶିଥିବା ଯୁବକ କବାଟ ଫାଙ୍କରେ ଫସିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଚୋରି କରିବାକୁ ଉଦ୍ୟମ କଲା ବେଳେ ଯୁବକଙ୍କ ମୁଣ୍ଡ କବାଟରେ ଫସି ଯାଇଥିଲା, ଯେତେବେଳେ କି, ଶରୀରର ବାକି ଭାଗ ବାହାରେ ରହିଥିଲା। ଏହି କାରଣରୁ ଯୁବକ ଆଉ ବାହାରି ପାରି ନ ଥିଲେ। ଫଳରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରରୁ ଜଣାପଡ଼ିଛି, ସାରନାଥ ଥାନା ଅଞ୍ଚଳରେ ଥିବା ପାଓ୍ଵାରଲୁମ୍ ସେଣ୍ଟରର କବାଟରେ ଫସି ଯୁବକଙ୍କ ମୃତ୍ୟୁ ଘଟିଛି।
କୁହାଯାଉଛି, ଚୋରି ଉଦ୍ଦେଶ୍ୟରେ ପାଓ୍ଵାରଲୁମ୍ରେ ପଶିବା ସମୟରେ ଯୁବକଙ୍କ ମୁଣ୍ଡ କବାଟରେ ଅଟକି ଯାଇଥିଲା, ଯାହାକୁ ଛଡ଼ାଇବାକୁ ଚେଷ୍ଟା କଲା ବେଳେ ସେ ପ୍ରାଣ ହରାଇଥିଲେ। ଏହି ଅଜବ ଘଟଣାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଉକ୍ତ ପାଓ୍ଵାରଲୁମ୍ ନିଜାମ୍ ନାମକ ଯୁବକଙ୍କର, କାମ ନ ମିଳିବାରୁ ଲୁମ୍ ୨ ଦିନ ହେବ ବନ୍ଦ ରହିଥିଲା। କବାଟର ଉପର ପଟେ ଲକ୍ ଲାଗିଥିଲା। ଆଶଙ୍କା କରାଯାଉଛି ଯେ ଚୋରି ଉଦ୍ଦେଶ୍ୟରେ ପଶିବା ସମୟରେ ଯୁବକ କବାଟକୁ ଟାଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସଫଳ ହୋଇପାରି ନ ଥିଲେ, ଯାହାଫଳରେ ତାଙ୍କ ମୁଣ୍ଡ ସେଥିରେ ଫସି ଯାଇଥିଲା, ଆଉ ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ ୩୦ ବର୍ଷୀୟ ଜାଭେଦ, ଯିଏ କି, ପୂର୍ବରୁ ମଧ୍ୟ ଅନେକ ଚୋରି ଘଟଣାରେ ସଂଶ୍ଳିଷ୍ଟ ଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିଥିଲା। ଏହାସହ ପରିବାର ଲୋକଙ୍କୁ ଯୋଗାଯୋଗ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବର୍ତ୍ତମାନ ପୋଲିସ ଏହି ପୂରା ମାମଲାର ତଦନ୍ତ କରୁଛି।