ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ସାରା ସହରର କାନ୍ଥକୁ ରଙ୍ଗେଇ ଦେଲେ ଏହି ମହିଳା, ମା’ ହେବାକୁ ଯାଉଥିବା ନେଇ ଲେଖିଲେ ଏଭଳି ଭାବପୂର୍ଣ୍ଣ ମେସେଜ୍

ଅଷ୍ଟ୍ରେଲିଆର ଜଣେ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ଏକ ଅଜବ ଢଙ୍ଗରେ ମେସେଜ୍ ଦେଇଛନ୍ତି। ସେ ଫ୍ରେଙ୍କଷ୍ଟନ୍ ସହରର କାନ୍ଥବାଡ଼ରେ ଏତେ ସାରା ମେସେଜ୍ ଲେଖିଛନ୍ତି ଯେ ଯାହାକୁ ନେଇ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରକୃତ କଥା ହେଉଛି, ମହିଳା ଜଣକ ଏବେ ମା’ ହେବାକୁ ଯାଉଛନ୍ତି ଏବଂ ସେ ତାଙ୍କ ପ୍ରତ୍ୟେକ ମେସେଜରେ ପୂର୍ବତନ ପ୍ରେମିକ କ୍ରିସ୍ଙ୍କୁ ଥରେ ଭେଟିବାକୁ ଅପିଲ କରିଛନ୍ତି। ଏଠାକାର ପାର୍କଠାରୁ ଆରମ୍ଭ କରି ପବ୍ଲିକ ବାଥରୁମ୍, ଏପରି କି, ପ୍ରତି କାନ୍ଥରେ ସେ ମେସେଜ୍ ଲେଖି ଭର୍ତ୍ତି କରିଦେଇଛନ୍ତି। ଏଥିରେ ସେ ଜଣାଇଛନ୍ତି ଯେ ‘କ୍ରିସ୍, ଛୁଆ ଏହି ଦୁନିଆକୁ ଆସିବା ପୂର୍ବରୁ ତୁମକୁ ମୋ ସହିତ କଥା ହେବା ଜରୁରୀ, ନ ହେଲେ ଏହାପରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକ ନାହିଁ’।
ଗତ କିଛିଦିନ ହେବ ମହିଳାଙ୍କର ଏହି ମେସେଜଗୁଡ଼ିକୁ ଫ୍ରେଙ୍କଷ୍ଟନ୍ ସହରବାସୀ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେମାନେ କ୍ରିସ୍ଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ଏମିତି ନ ହେଉ ଯେ ତୁମ ପୂର୍ବତନ ପ୍ରେମିକା ପୂରା ସହରରକୁ ଖରାପ କରିଦିଅନ୍ତୁ, ଏହାପୂର୍ବରୁ ଥରେ ତାଙ୍କ ସହିତ କଥା ହୁଅନ୍ତୁ’।
ଏହାସହ ପଢନ୍ତୁ: ଦୁନିଆର ସବୁଠାରୁ ମହଙ୍ଗା ‘ଅନ୍ତିମ ସଂସ୍କାର’, ଖର୍ଚ୍ଚ ହୋଇଥିଲା ୬୦୦ କୋଟି ଟଙ୍କା, ଏହି ରାଜାଙ୍କୁ ‘ଭଗବାନ ରାମ’ଙ୍କ…
ତେବେ ଏହି ସବୁ ମେସେଜ ପରେ କ୍ରିସ୍ ଏ ପଯ୍ୟର୍ନ୍ତ ମହିଳାଙ୍କ ସହ ସମ୍ପର୍କ କରିନାହାନ୍ତି। କିନ୍ତୁ ଏହି ଘଟଣାରେ ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିନେଇଛି। ଜାଣିଶୁଣି ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଥିବା ନେଇ ୩୬ ବର୍ଷର ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। କ୍ରିସ୍ଙ୍କର ଏହି ରହସ୍ୟମୟୀ ପ୍ରେମିକା ଏକ ମେସେଜକୁ ମଧ୍ୟ ସ୍କୁଲ ନିକଟରେ ପଡ଼ିଥିବା ଖାଲି ମଦ ବୋତଲ ପାଖରେ ଲେଖିଛନ୍ତି। ତାଙ୍କ ମେସେଜକୁ ସୋସିଆଲ ମିଡିଆରେ ୩୦ ହଜାରରୁ ଅଧିକ ୟୁଜର ଲାଇକ୍, ସେୟାର ଏବଂ କମେଣ୍ଟ ଦେଇସାରିଲେଣି।
ମହିଳାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିବା ପରେ ଜଣେ ୟୁଜର ଲେଖିଛନ୍ତି, ‘ଏବେ ମୁଁ ଜାଣିବାକୁ ଚାହୁଁଛି, ଏ ‘କ୍ରିସ୍’ କିଏ? କ’ଣ ଏବେ ସେ ତାଙ୍କୁ ଫୋନ୍ କରିବେ’? ସେପଟେ ମେସେଜର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିବା ପିଟର ବରୋଜ ନାମକ ବ୍ୟକ୍ତିଙ୍କୁ ମହିଳାଙ୍କର ଏହି ଭାବନା କୌତୁହଳଜନକ ଲାଗିଥିଲା।