କଏଦୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଜେଲର୍‌; ବାରାକ୍‌ରେ ଅଏସ୍‌-ଆରାମରେ ରହୁଥିଲା ପ୍ରେମିକ! ଆଉ ଯେତେବେଳେ ଖୁଲାସା ହେଲା…

ବ୍ରିଟେନର ଜଣେ ମହିଳା ଜେଲର ନିଜ ଜେଲ୍‌ର ହିଁ ଜଣେ କଏଦୀଙ୍କୁ ଭଲପାଇ ବସିଥିଲେ। ପ୍ରେମରେ ଉବୁଟୁବୁ ମହିଳା ଜେଲର ଜଣକ କଏଦୀଙ୍କ ପାଇଁ ଆଇଫୋନ୍‌ ଚୋରା ଚାଲାଣ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଢ଼େର୍‌ ସମୟ ଧରି ଚାଲୁଥିଲା କଥାବାର୍ତ୍ତା। ଏପରି କି, ଜେଲ୍‌ରେ କେତେବେଳେ ଚେକିଂ ହେବ, ସେ ନେଇ ନିଜ ପ୍ରେମିକଙ୍କୁ ସତର୍କ କରି ଦେଉଥିଲେ ମହିଳା ଜେଲର, ଯେପରି ଚୋରାଚାଲାଣ ଜିନିଷଗୁଡ଼ିକୁ ସମୟ ପୂର୍ବରୁ ଲୁଚାଯାଇ ପାରିବ। ହେଲେ ଏବେ ଜେଲର ନିଜେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

ସମ୍ପୃକ୍ତ ମହିଳା ଜେଲର ହେଲେ ଏମା ଜନ୍‌ସନ। ତାଙ୍କୁ ବ୍ରିଟେନର ଡର୍ବି କ୍ରାଉନ କୋର୍ଟର ଜଜ୍‌ ଜୋନାଥନ ବେନେଟ୍‌ ୧୫ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି। ଏଥିପାଇଁ ଏମାଙ୍କୁ ଚାକିରିରୁ ବହିଷ୍କାର ମଧ୍ୟ କରି ଦିଆଯାଇଛି। ସେପଟେ ପ୍ରେମିକ ମାର୍କସ୍‌ ସୋଲୋମୋନଙ୍କୁ ବି ୧୩ ମାସ ଜେଲ୍‌ ଦଣ୍ଡ ମିଳିଛି।

କୋର୍ଟ ଜାଣିବାକୁ ପାଇଥିଲେ କି, ଜେଲର ଏମା ଜନ୍‌ସନ ଓ କଏଦୀ ମାର୍କସ୍‌ ସୋଲୋମନଙ୍କ ମଧ୍ୟରେ ଖୁବ୍‌ ବାର୍ତ୍ତାଳାପ ହେଉଥିଲା। ମାର୍କସ୍‌ ଚୋରା ଫୋନ୍‌ଗୁଡ଼ିକୁ ଜେଲ୍‌ ଭିତରେ ବିକୁଥିଲେ। ଏଥିରୁ ଯେଉଁ ଆୟ ବାହାରୁଥିଲା, ସେହି ପଇସା ଜନ୍‌ସନଙ୍କ ଖାତାକୁ ଯାଉଥିଲା।

ଦୁଇ ଜଣଙ୍କ ମେସେଜ କୋର୍ଟ ଭିତରେ ଦାଖଲ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଉଭୟ ବିଭିନ୍ନ ପ୍ରକାର ଆଇଫୋନ୍‌ କିଣିବା ଏବଂ ବିକିବା ବିଷୟରେ କଥା ହେଉଥିଲେ। ଜଜ୍‌ ନିଜ ନିଷ୍ପତ୍ତିରେ କହିଥିଲେ କି, ‘ମୁଁ ଏହା ସ୍ୱୀକାର କରୁଛି ଯେ ଆପଣଙ୍କୁ କଏଦୀଙ୍କ ସହିତ ପ୍ରେମ ହୋଇ ଯାଇଛି। କିନ୍ତୁ ଜେଲର ନିଜ ଚାକିରି ଗର୍ବର ସହିତ କରିଥାଏ। ଯେତେବେଳେ ଏହି ପ୍ରକାର ଭରସାର ଦୂରୁପଯୋଗ କରାଯାଏ, ତ ଏହା ଜରୁରୀ କି, ଏମିତି ଲୋକଙ୍କୁ ଦଣ୍ଡ ବି ମିଳୁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.