ଡାକ୍ତର କ୍ଲିନିକ ବାହାରେ ଚାଲିଗଲା ଯୁବକଙ୍କ ଜୀବନ । ଡାକ୍ତର କ୍ଲିନିକ ବାହାରେ ପଡିଥିବା ଚେୟାରରେ ବସିଥିବା ଯୁବକଙ୍କ ଜୀବନ କିଛି ସେକେଣ୍ଡରେ ଚାଲିଯାଇଛି । ମଧ୍ୟପ୍ରଦେଶର ଅଶୋକନଗର ଭିଡିଓ ସାମ୍ନାକୁ ଆସିଛି ।
ଖବର ମୁତାବକ, ମଧ୍ୟପ୍ରଦେଶ ଚାନ୍ଦେରୀ ଜିଲ୍ଲାର ଅଶୋକନଗରରେ ଥିବା ଏକ କ୍ଲିନିକକୁ ଜଣେ ଯୁବକ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ଯୁବକ ଜଣକ ବିଚଳିତ ଅନୁଭବ କରୁଥିଲେ ବୋଲି ଡାକ୍ତରଙ୍କୁ ଦେଖାଇବାକୁ ଆସିଥିଲେ । ଚାନ୍ଦେରୀରେ ଥିବା ସିଭିଲ ହସପିଟାଲ କ୍ୟାମ୍ପସ ସ୍ଥିତ ଡ. ପଙ୍କଜ ଗୁପ୍ତାଙ୍କ ସରକାରୀ ବାସଭବନରେ ଚିକିତ୍ସା କରାଉଥିଲେ ।
ଯୁବକ ଡାକ୍ତରଙ୍କ ଘର ବାହାରେ ବେଞ୍ଚରେ ବସିଥିବା ବେଳେ ମାତ୍ର କିଛି ସେକେଣ୍ଡରେ ଟଳିପଡିଥିଲେ । ଡ. ପଙ୍କଜ ଗୁପ୍ତାଙ୍କ କହିବା ମୁତାବକ, ଯୁବକ ଜଣକ ଚିକିତ୍ସା ପାଇଁ ଆସିଥିଲେ । ୨ ମିନିଟ ଭିତରେ ବେଞ୍ଚରୁ ତଳକୁ ଟଳିପଡିଥିଲେ । ତାଙ୍କୁ ତୁରନ୍ତ ଉଠାଇ ଇସିଜି କରାଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।
ମୃତ ଯୁବକଙ୍କ ନାମ ଶାହରୁଖ ମିର୍ଜା । ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସୋମବାର ଦିନ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ । କିନ୍ତୁ ଡାକ୍ତରଙ୍କ ପାଖରେ ପହଞ୍ଚିବା ଆଗରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଯୁବକଙ୍କ ମୃତୁ୍ୟର କାରଣ ହାର୍ଟ ଆଟାକ ବୋଲି ଜଣାପଡିଛି ।