ନିର୍ବାଚନ ପୂର୍ବରୁ ଆପ୍ ବିଧାୟକଙ୍କ ନାମରେ ମାମଲା ରୁଜୁ, ପ୍ରଚାର ସମୟରେ ମହିଳାଙ୍କୁ କରିଥିଲେ ଫ୍ଲାଇଂ କିସ୍

ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ବିରୋଧରେ ମାମଲା ଦାୟର ହୋଇଛି । ବିଧାୟକ ଦିନେଶ ମୋହନିୟାଙ୍କ ବିପକ୍ଷରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ବିଧାୟକ ନିର୍ବାଚନ ପ୍ରଚାର ସମୟରେ ମହିଳାଙ୍କୁ ଫ୍ଲାଇଂ କିସ୍ କରୁଥିଲେ । ଘଟଣାର ଭିଡିଓ ଆଧାରରେ ପୋଲିସ ନିକଟରେ ମହିଳା ଜଣକ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ବିଧାୟକଙ୍କ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ଆସିନାହିଁ ।
ଆଜି ଦିଲ୍ଲୀର ସମସ୍ତ ୭୦ ବିଧାନସଭା ସିଟ୍ ପାଇଁ ମତଦାନ ହେଉଛି । କିନ୍ତୁ ଏହା ପୂର୍ବରୁ ସଂଗମ ବିହାରରୁ ବିଧାୟକ ମୋହନିୟା ବିପକ୍ଷରେ କେସ୍ ଦାୟର ହୋଇଛି । ଦକ୍ଷିଣ ଦିଲ୍ଲୀ ଲୋକସଭା ନିର୍ବାଚନ ଅଧିନରେ ଥିବା ୧୦ ବିଧାନସଭାରେ ଏକ ସଙ୍ଗମ ବିହାର ମଧ୍ୟ ଯାଉଛି । ଏଠାରୁ ବିଧାୟକ ଭାବେ ଦିନେଶ ମୋହନିୟା ଆପ୍ ଟିକେଟରେ ହ୍ୟାଟ୍ରିକ ମାରିଛନ୍ତି । ପାର୍ଟି ପୁଣିଥରେ ଚତୁର୍ଥ ଥର ପାଇଁ ମୋହନିୟାଙ୍କୁ ଟିକେଟ ଦେଇଛି । ହେଲେ ଏପଟେ ବିଧାୟକଙ୍କ ଉପରେ ଅସଦାଚରଣ ଅଭିଯୋଗ ହୋଇଛି ।
ପୂର୍ବରୁ ବିଧାୟକ ମୋହନିୟାଙ୍କ ଉପରେ ୨୦୧୬ ଜୁନରେ ମହିଳା ଗୋଷ୍ଠୀ ଦୁର୍ବବ୍ୟହାର କରିବା ଅଭିଯୋଗ ହୋଇଥିଲା । ମହିଳା ମାନେ ନିଜ ଅଞ୍ଚଳର ପାଣି ସମସ୍ୟା ନେଇ ବିଧାୟକଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ । ଏହି ସମୟରେ ବିଧାୟକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୩୨୩, ୫୦୬, ୫୦୯, ୩୫୪, ୩୫୪(ଏ), ୩୫୪ (ବି) ଅଧିନରେ ମାମଲା ଦାୟର ହୋଇଥିଲା । ଏହି ମାମଲାରେ ବିଧାୟକ ୨୦୨୦ରେ ଦୋଷମୁକ୍ତ ହୋଇଥିଲେ ।
ସୂଚନାଯୋଗ୍ୟ, ଦିଲ୍ଲୀର ୭୦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାତା ବାଛିବେ ନେତା । ୧୩ ହଜାର ୭୬୬ଟି ବୁଥରେ ୧ କୋଟି ୫୬ ଲକ୍ଷ ମତଦାତା ନିଜ ମତ ସାବ୍ୟସ୍ତ କରୁଛନ୍ତି । ୮୩ ଲକ୍ଷ ୭୬ ହଜାର ପୁରୁଷ ଭୋଟର, ୭୨ ହଜାର ୩୬ ଲକ୍ଷ ମହିଳା ଭୋଟର ଓ ୧ହଜାର ୨୬୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ମୈଦାନରେ ଅଛନ୍ତି ବିଭିନ୍ନ ଦଳର ୬୯୯ ଜଣ ପ୍ରାର୍ଥୀ । ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହେଉଥିଲେ ବି ମୁଖ୍ୟତଃ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଟକ୍କର ହେଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏଁ ଚାଲିବ ।
Also Read : କାହାର ହେବ ଦିଲ୍ଲୀ ? ବିଧାନସଭା ନିର୍ବାଚନ ପାଇଁ ସକାଳ ୭ରୁ ମତଦାନ ଜାରି