ଦିଲ୍ଲୀରେ ଏକୁଟିଆ ନିର୍ବାଚନ ଲଢ଼ିବ ଆମ୍ ଆଦମୀ ପାର୍ଟି, କଂଗ୍ରେସକୁ ଝଟକା ଦେଲେ ଅରବିନ୍ଦ କେଜ୍ରିୱାଲ

ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ହେଉଛି । ଏହାରି ମଧ୍ୟରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ମଧ୍ୟରେ ମିଳିତ ମଞ୍ଚକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ଏହି କଥାକୁ ଖାରଜ କରିଛନ୍ତି । କେଜ୍ରିୱାଲ କହିଛନ୍ତି ଯେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ ହେବାର କୌଣସି ସମ୍ଭାବନା ନାହିଁ । ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ନିଜ ଦମରେ ଏହି ନିର୍ବାଚନ ​​ଲଢ଼ିବ ।

ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମେଣ୍ଟର ସମସ୍ତ ଖବରକୁ ଭୁଲ୍ ପ୍ରମାଣିତ କରିବାକୁ ଯାଇ ଏହି ଘୋଷଣା କରିଛନ୍ତି । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘X’ରେ ଲେଖିଛନ୍ତି, ‘ଦିଲ୍ଲୀରେ ଆମେ ନିଜ ବଳରେ ନିର୍ବାଚନ ଲଢ଼ିବୁ । କଂଗ୍ରେସ ସହିତ କୌଣସି ବି ପ୍ରକାର ମେଣ୍ଟର ସମ୍ଭାବନା ନାହିଁ’ ।

ପୂର୍ବରୁ ସୂତ୍ରରୁ ଜଣାପଡ଼ିଥିଲା ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ମିଳିତ ମଞ୍ଚ ପାଇଁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ସହମତି ଶେଷ ପର୍ଯ୍ୟାୟରେ ରହିଛି । କଂଗ୍ରେସକୁ ୧୫ଟି ଆସନ ମିଳିବ, ଇଣ୍ଡିଆ ଆଲାଇନ୍ସର ଅନ୍ୟ ସହଯୋଗୀ ସଦସ୍ୟଙ୍କୁ ୧-୨ ଏବଂ ବାକି ଆସନ ଆପକୁ ମିଳିବ ।

ଆହୁରି ମଧ୍ୟ କୁହାଯାଇଥିଲା କି, ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହା ପରେ ଆପ୍ ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ହୋଇପାରେ ବୋଲି କଳ୍ପନାଜଳ୍ପନା ତୀବ୍ର ହୋଇଥିଲା ।

କହି ରଖୁଛୁ, ଏହା ପୂର୍ବରୁ ବି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରି ଦେଇଥିଲେ । କିନ୍ତୁ ପୁଣିଥରେ ଦୁଇ ଦଳ ମଧ୍ୟରେ ମିଳିତ ମଞ୍ଚର ଖବର ସାମ୍ନାକୁ ଆସିଥିଲା ।