ଲୋକସଭାରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍‌-୨୦୨୧ ଗୃହୀତ, ବିରୋଧୀଙ୍କ ପ୍ରବଳ ହୋହଲ୍ଲାରେ ବିଲ୍‌ ପାସ୍‌

କେନ୍ୟୁଜ୍(ବ୍ୟୁରୋ): ଲୋକସଭାରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍‌-୨୦୨୧ ଗୃହୀତ । ବିରୋଧୀଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ବାଚନିକ ଭୋଟରେ ବିଲ୍‌ ପାସ୍‌ ହୋଇଛି। ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ବିଲ୍‌କୁ ଆଗତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ତେବେ କଂଗ୍ରେସ, ତୃଣମୂଳ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଏହି କୃଷି ଆଇନ ପ୍ରତ୍ୟାହାର ବିଲ୍‌ ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ଏହା ଅଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ ।

ଫଳରେ ଗୃହ ଅଚଳ ହୋଇଯାଇଥିଲା। ଏହାପରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ କଂଗ୍ରେସ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଲ୍‌ ପାସ୍‌ ପରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ଅପରାହ୍‌ଣ ଦୁଇଟା ଯାଏ ମୁଲତବୀ ଘୋଷଣା କରିଥିଲେ । ପୂର୍ବରୁ ଗୁରୁନାନକ ଜୟନ୍ତରେ ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୦ ସେପଟେମ୍ବରରେ ସଂସଦରେ ପାସ୍‌ ହୋଇଥିଲା ୩ କୃଷି ଆଇନ୍‌ । ଏହାର ପ୍ରତ୍ୟାହାର ଦାବିରେ ଦୀର୍ଘ ଏକ ବର୍ଷ ହେବ ଆନ୍ଦୋଳନ କରୁଛନ୍ତି ଚାଷୀ । ଏହା ଭିତରେ ପ୍ରାୟ ୭୦୦ ଚାଷୀଙ୍କ ଜୀବନ ଯାଇଛି ।

କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ପାସ୍‌ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି କୃଷକ ନେତା ରାକେଶ ଟିକାୟତ । ଏହା ଆନ୍ଦୋଳନରେ ମୃତ ୭୦୦ କୃଷକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ହେଲେ କୃଷକଙ୍କ ଆନ୍ଦୋଳନ ଜାରି ରହିବ। ଏମଏସପି ଓ ଅନ୍ୟ ପ୍ରସଙ୍ଗରେ କୃଷକ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଟିକାୟତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.