ଓକଲାହୋମାରେ ଗର୍ଭପାତ ଉପରେ ଲାଗିବ ରୋକ୍‌, ଆଇନ ଭାଙ୍ଗିଲେ ୧୦ ବର୍ଷ ଜେଲ ଓ ଜରିମାନା!

ଆମେରିକାର ଓକଲାହୋମାରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲାଗିବ। ରିପବ୍ଲିକାନ ଗଭର୍ନର କେଭିନ୍‌ ଷ୍ଟିଟ୍‌ ଏ ନେଇ ଏକ ବିଲ୍‌ ସ୍ୱାକ୍ଷର କରିଛନ୍ତି, ଯାହା ପାଖାପାଖି ସମସ୍ତ ପ୍ରକାର ଗର୍ଭପାତକୁ ଆଇନ ଦୃଷ୍ଟିରୁ ବେଆଇନ କରିବ। ଷ୍ଟିଟ୍‌ କହିଛନ୍ତି, ‘ଆମେ ଚାହୁଁଛୁ ଯେ ଓକଲାହୋମା ଦେଶର ସବୁଠାରୁ ଅଧିକ ଜୀବନ ସମର୍ଥକ ରାଜ୍ୟ ହେଉ। ଆମେ ଓକଲାହୋମା ରାଜ୍ୟରେ ଗର୍ଭପାତ ରୋକିବାକୁ ଚାହୁଁଛୁ’।

ଗଭର୍ନର ଆହୁରି କହିଥିଲେ ଯେ ‘ମୁଁ ଜାଣିଛି କି, ଏହି ବିଲ୍‌କୁ କିଛି ଲୋକ ତୁରନ୍ତ ଚ୍ୟାଲେଞ୍ଜ ଦେବେ। ବିଲ୍‌ ପାସ୍‌ ହେବା ପରେ ଆଇନ ଅନୁସାରେ ରାଜ୍ୟରେ ଗର୍ଭପାତ କରାଇବା ଏକ ଜଘନ୍ୟ ଅପରାଧ ହୋଇଯିବ। ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ସାଙ୍ଗକୁ ୧,୦୦,୦୦୦ ଡଲାରର ଜରିମାନା ବି ଲାଗି ପାରେ। ତେବେ ଏହି ଆଇନ କେବଳ ମା’ର ଜୀବନ ପ୍ରତି ବିପଦ ଥିଲେ, ଜରୁରୀକାଳୀନ ପରିସ୍ଥିତିରେ ଗର୍ଭପାତକୁ ଅନୁମତି ଦେବ’।

ହ୍ଵାଇଟ୍‌ ହାଉସ୍‌ର ପ୍ରେସ୍‌ ସଚିବ ଜେନ ସାକି ଏହି ବିଲ୍‌କୁ ନିନ୍ଦା କରି ଆମେରିକା କଂଗ୍ରେସକୁ ମହିଳା ସ୍ୱାସ୍ଥ୍ୟ ସଂରକ୍ଷଣ ଅଧିନିୟମ ପାରିତ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ କୌଣସି ଭୁଲ୍‌ କରନ୍ତୁ ନାହିଁ। ଓକଲାହୋମାରେ ଆଜିର ନିଷ୍ପତ୍ତି ମହିଳା ମାନଙ୍କ ଅଧିକାର ଉପରେ ଆକ୍ରମଣ କରିବା କାର୍ଯ୍ୟର ଅଂଶ ବିଶେଷ।

ସୂଚନାଥାଉ କି, ନିକଟ ବର୍ଷ ଗୁଡ଼ିକରେ ଗର୍ଭପାତ ପ୍ରତିବନ୍ଧକ ଆଇନ ପାରିତ କରିଥିବା ଆମେରିକୀୟ ରାଜ୍ୟଗୁଡ଼ିକର ସଂଖ୍ୟା ବଢ଼ିଛି। ଗତ ମାସରେ ଏରିଜୋନା ଓ କେଣ୍ଟକି ରାଜ୍ୟ ଗର୍ଭପାତ ଉପରେ ୧୫ ସପ୍ତାହର ନିଷେଧାଦେଶକୁ ଅନୁମୋଦନ କରିବାକୁ ମତଦାନ କରିଥିଲେ। ଯେତେବେଳେ କି, ଇଡାହୋର ଗଭର୍ନର ବ୍ରେଡ୍‌ ଲିଟିଲ ଏକ ଆଇନ ସ୍ୱାକ୍ଷର କରିଥିଲେ, ଯାହା ପାଖା ପାଖି ୬ ସପ୍ତାହର ଗର୍ଭାବସ୍ଥା ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇଛି। ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଦକ୍ଷିଣ ଡକୋଟା ଓ ଟେନେସି ଭଳି ରାଜ୍ୟ ମଧ୍ୟ ଏମିତି ଆଇନ ପାରିତ କରିଛନ୍ତି।

Leave A Reply

Your email address will not be published.