ମାଘ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନ ବେଳେ ଅଘଟଣ, ବୁଡ଼ିଗଲେ ୫ ଜଣ

ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲାରେ ମାଘ ପୂର୍ଣ୍ଣିମା ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗଙ୍ଗା ନଦୀକୁ ସ୍ନାନ କରିବାକୁ ଆସିଥିବା ୫ ଜଣ ବୁଡ଼ି ଯାଇଛନ୍ତି। ତେବେ ସ୍ଥାନୀୟ ପୋଲିସ ସତର୍କ ଥିବାରୁ ତିନି ଜଣଙ୍କୁ ନଦୀରୁ ଉଦ୍ଧାର କରିବାରେ ସଫଳ ହୋଇଛି। ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଥିବା ଜଣାଯାଇଛି।

ନିଖୋଜ ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେମାନେ ହେଲେ ଗୋବିନ୍ଦ ଓ ଅନୁଜ। ଉଭୟେ ସମ୍ପର୍କରେ ମାମୁ ଓ ଭଣଜା। ଉଭୟଙ୍କୁ ଖୋଜିବା ପାଇଁ ପୋଲିସ ରେସ୍‌କ୍ୟୁ ଅପରେସନ୍‌ ଜାରି ରଖିଛି। ଏହି ଘଟଣା ସିକନ୍ଦରପୁର ଅଧୀନସ୍ଥ କାଦରଗଞ୍ଜ ଗଙ୍ଗା ଘାଟରେ ଘଟିଛି।

କାସଗଞ୍ଜରେ ଗଙ୍ଗା ସ୍ନାନ ବେଳେ ହୋଇଥିବା ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ବରିଷ୍ଠ ଅଧିକାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଉଦ୍ଧାର ହୋଇଥିବା ୩ ଜଣଙ୍କୁ ଚିକିତ୍ସା କରାଇବା ସହ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।