ଜମ୍ମୁ-ପୁଞ୍ଚ୍‌ ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା, ୧୫୦ ଫୁଟ୍‌ ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌; ୨୧ ମୃତ

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଜମ୍ମୁ-ପୁଞ୍ଚ୍‌ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଗଭୀର ଖାଇକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ରେ ପାଖାପାଖି ୬୦ ଜଣ ଯାତ୍ରୀ ଥିଲେ ।

ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ଜିଲ୍ଲାର କାଲିଧର ଅଞ୍ଚଳରେ ଏହି ବସ୍‌ ଦୁର୍ଘଟଣା ଘଟିଛି । ବସ୍‌ଟି ରାସ୍ତାରୁ ଖସି ଯାଇ ପ୍ରାୟ ୧୫୦ ଫୁଟ୍‌ ଗଭୀର ଖାଇରେ ପଡ଼ିଥିଲା । ବସ୍‌ ଶ୍ରଦ୍ଧାଳୁମାନଙ୍କୁ ନେଇ ଶିବଖୋଡ଼ା ଅଭିମୁଖେ ଯାଉଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା । ଅଧିକାରୀମାନେ କହିଛନ୍ତି ଯେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇ ଆହତ ଯାତ୍ରୀମାନଙ୍କୁ ହସ୍ପିଟାଲ ନିଆଯାଇଛି ।

କୁହାଯାଉଛି, ଡ୍ରାଇଭର ଜଣକ ବସ୍‌ ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଏହି ଦୁର୍ଘଟଣା ଘଟିଥିଲା । ଆହତମାନଙ୍କୁ ଜମ୍ମୁର ମେଡିକାଲ କଲେଜକୁ ରେଫର୍‌ କରି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଅନେକ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, ଉତ୍ତର ପ୍ରଦେଶ ରାଜ୍ୟ ନମ୍ବରର ଏହି ବସ୍‌ ଜମ୍ମୁରୁ ଶିବଖୋଡ଼ା ଯାଉଥିଲା । ଏହି ସମୟରେ ଅଖନୁରର ଟୁଙ୍ଗି ମୋଡରେ ବସ୍‌ଟି ଗଭୀର ଖାଇକୁ ଖସି ପଡ଼ିଥିଲା । ଖବର ପାଇ ଅଖନୁର ଏସ୍‌ଡିଏମ୍‌ ଲେଖ ରାଜ, ଏସ୍‌ଡିପିଓ ମୋହନ ଶର୍ମା ଓ ଥାନା ଅଧିକାରୀ ତାରିକ୍‌ ଅହମ୍ମଦ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଏହି ଦୁର୍ଘଟଣାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତେବେ ଏଥିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ସୂଚନାଥାଉ କି, ୨୦୨୩ ନଭେମ୍ବର ୧୫ରେ ମଧ୍ୟ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ଏହିପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଏଠାରେ ଅସାର ଅଞ୍ଚଳରେ ଏକ ବସ୍ ୩୦୦ ଫୁଟ ଗଭୀର ଖାଇରେ ଖସି ପଡିଥିଲା । ଏହି ଦୁର୍ଘଟଣାରେ ୯ ମହିଳାଙ୍କ ସମେତ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା । ବସ୍ କିଶ୍ଚଓ୍ଵାରରୁ ଜମ୍ମୁ ଯାଉଥିଲା ।