ବ୍ୟାଙ୍କ ଆକାଉଣ୍ଟରୁ ୧୦୦ ଟଙ୍କା ଉଠାଇବା ପାଇଁ ଯାଇଥିଲେ ବ୍ୟକ୍ତି, କିନ୍ତୁ ଖାତାରେ ଦେଖିବାକୁ ପାଇଲେ ୨୭ ଶହ କୋଟି
ଯଦି ପାଖରେ ଟଙ୍କା ଅଛି ତେବେ ଜଣେ ନିଶ୍ଚିତ ରୂପେ ମାଲିକ ହୋଇପାରିବ । ଆଉ ସେଇଥିପାଇଁ ହୁଏତ ବ୍ୟକ୍ତି ସବୁ ସମୟରେ ଟଙ୍କା ରୋଜଗାର କରିବାରେ ହିଁ ବ୍ୟସ୍ତ ଥାଏ । କିନ୍ତୁ କିଛି ଜଣଙ୍କର ଭାଗ୍ୟ ଏମିତି ଥାଏଯେ ରାତାରାତି କୋଟିପତି ହୋଇଯାନ୍ତି । କିନ୍ତୁ ଉତ୍ତରପ୍ରଦେଶରେ ଜଣେ ଦିନ ମଜୁରିଆ ରାତିକ ଭିତରେ କୋଟିପତି ହେବା ଭଳି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଜ୍ଞା ହଁ ଉତ୍ତରପ୍ରଦେଶ କନୌଜର ଜଣେ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ହଠାତ ଏତେ ଟଙ୍କା ଆସିଯାଇଥିଲାକି ସେ ମାତ୍ର କିଛି ସମୟ ଭିତରେ ଭିକାରିରୁ କୋଟିପତି ପାଲଟି ଯାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଯେବେ ବିହାରୀ ଲାଲା ଜିଲ୍ଲାର ଏକ ବ୍ୟାଙ୍କକୁ ନିଜ ଜନ ଧନ ଆକାଉଣ୍ଟରୁ ମାତ୍ର ୧୦୦ ଟଙ୍କା ଉଠାଇବା ପାଇଁ ଯାଇଥିଲେ ସେହି ସମୟରେ ତାଙ୍କ ଆକାଉଣ୍ଟରେ ୨୭୦୦ କୋଟି ଟଙ୍କା ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କହିରଖିବା ଉଚିତ ହେବକି, ୪୫ ବର୍ଷୀୟ ଏହି ବିହାରୀ ଲାଲ ହେଉଛନ୍ତି ଜଣେ ଦିନ ମଜୁରିଆ । ଆଉ ସେ ରାଜସ୍ଥାନର ଇଟାଭାଟିରେ କାମ କରନ୍ତି । ବର୍ଷାଋତୁରେ ସେତେଟା କାମ ନମିଳିବାରୁ ସେ ନିଜ ଗାଁକୁ ଆସିଥିଲେ । ନଚେତ ଦିନକୁ ତାଙ୍କର ୬୦୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ନିଜ ଖର୍ଚ୍ଚ ବ୍ୟତୀତ ସେଥିରୁ କିଛି କିଛି ଯାହା ସଂଚୟ କରନ୍ତି ଏହି ବ୍ୟକ୍ତି ଜଣଙ୍କ । ଦିନକୁ ମାତ୍ର କିଛି ଟଙ୍କା ସଂଚୟ କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟ ଯଦି ଶହ ଶହ କୋଟି ଟଙ୍କା ଆସେ ତେବେ ସେ ହୁଏତ ନିଜକୁ କେବେ ବିଶ୍ୱାସ କରିପାରିବ ନାହିଁ ।
ଆଉ ଏମିତିରେ ବିହାରୀ ଲାଲ ଏଥିରୁ ବାଦ ଯାଆନ୍ତେ ବା କେମିତି । ଖବର ଜାଣିବା ପରେ ବିହାରୀ ଲାଲ ଜଣେ “ବ୍ୟାଙ୍କ ମିତ୍ର”ଙ୍କୁ ପାଖାପାଖି ତିନି ଥର ଖାତା ଯାଞ୍ଚ କରିବାକୁ କହିଥିଲେ । ତନାଘନାରୁ ବି ଜଣାପଡିଥିଲାକି ତାଙ୍କ ଆକାଉଣ୍ଟରେ ପ୍ରାୟ ୨୭ ଶହ ୭ କୋଟି ୮୫ ଲକ୍ଷ ୧୩ ହଜାର ୯୮୫ ଟଙ୍କା ଜମା ରହିଛି । ତଥାପିବି ବ୍ୟକ୍ତିଙ୍କୁ ବିଶ୍ୱାସ ନହେବାରୁ ଅଧିକାରୀ ଜଣଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଧରେଇ ଦେଇଥିଲେ । କିନ୍ତୁ ପରେ ଯେତେବେଳେ ନିକଟସ୍ଥ ଜନଧନ କେନ୍ଦ୍ରର ବ୍ରାଞ୍ଚ ଖାତାର ବାଲାନ୍ସ ଦେଖିଥିଲେ ସେସମୟରେ ଜାଣିବାକୁ ପାଇଥିଲେକି ତାଙ୍କ ଆକାଉଣ୍ଟରେ ମାତ୍ର ୧୨୬ ଟଙ୍କା ହିଁ ରହିଛି । ବ୍ୟାଙ୍କ ସିଷ୍ଟମରେ ତ୍ରୁଟି ଥିବା କାରଣରୁ ହିଁ ତାଙ୍କୁ ଏପରି ଦେଖାଦେଇଥିବା ନେଇ ଜଣା ପଡିଥିଲା ।