କେରଳ: NCB ଓ ଭାରତୀୟ ନୌସେନାର ସବୁଠୁ ବଡ଼ ଅପରେସନ୍, ୧୨ ହଜାର କୋଟିର ୨୫୦୦ କିଲୋ ଡ୍ରଗ୍ସ ଜବତ
କେରଳରେ ଏନ୍ସିବି ଓ ଭାରତୀୟ ନୌସେନାର ମିଳିତ ଅପରେସନ୍ରେ ୧୨ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଚଢ଼ାଉ ବେଳେ ୨୫୦୦ କିଲୋ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଜବତ ହୋଇଥିବା ଜଣାପଡ଼ିଛି।
କେରଳରେ ଏନ୍ସିବି ଓ ଭାରତୀୟ ନୌସେନାର ମିଳିତ ଅପରେସନ୍ରେ ୧୨ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଚଢ଼ାଉ ବେଳେ ୨୫୦୦ କିଲୋ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ଜବତ ହୋଇଥିବା ସୂତ୍ରରୁ ଜଣାପଡ଼ିଛି। ଏକକାଳୀନ ଏତେ ପରିମାଣରେ ମେଥାମ୍ଫେଟାମାଇନ୍ ଡ୍ରଗ୍ସ ମିଳିବା ଦେଶରେ ପ୍ରଥମ ଘଟଣା। ନୌସେନା ଡ୍ରଗ୍ସ ସହିତ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଅଟକ ରଖିଛି। ଏହି ଘଟଣାରେ ତାଙ୍କୁ ପଚରାଉଚରା କରାଯାଉଛି।
କୁହାଯାଉଛି ଯେ ଆଫ୍ଗାନିସ୍ତାନରୁ ସମୁଦ୍ର ପଥ ଦେଇ ଡ୍ରଗ୍ସ କେରଳ ଅଣାଯାଇଥିଲା। ଏନ୍ସିବି ବ୍ୟତୀତ ଶ୍ରୀଲଙ୍କା ଓ ମାଳଦ୍ୱୀପ ସହ ସେୟାର ହୋଇଥିବା ଇନ୍ପୁଟ ଆଧାରରେ ଏହି ଚଢ଼ାଉ କରାଯାଇଛି। ଏନ୍ସିବି ଅଧିକାରୀମାନଙ୍କ ମୁତାବକ, ଅପରେସନ୍ରେ ଏ ପର୍ଯ୍ୟନ୍ତ ପାଖାପାଖି ୩୨୦୦ କିଲୋ ମେଥାମ୍ଫେଟାମାଇନ୍, ୫୦୦ କିଲୋ ହେରୋଇନ୍ ଏବଂ ୫୨୯ କିଲୋ ଚରସ୍ ଜବତ ହୋଇଛି। ଆଫ୍ଗାନିସ୍ତାନରୁ ଭାରତ ଚୋରା ଚାଲାଣ କରି ଅଣାଯାଉଥିବା ଡ୍ରଗ୍ସ ନିରୋଧୀ ଅଭିଯାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କହି ରଖୁଛୁ ଯେ ଭାରତ ମହାସାଗରରେ ହିରୋଇନ୍ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟର ସାମୁଦ୍ରିକ ଚୋରା ଚାଲାଣ ହେତୁ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ଦୃଷ୍ଟିରେ ରଖି ଏନ୍ସିବି ମହାନିର୍ଦ୍ଦେଶକ ଏସ୍.ଏନ୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ‘ଅପରେସନ୍ ସମୁଦ୍ରଗୁପ୍ତ’ ଆରମ୍ଭ କରାଯାଇଥିଲା।
ଏନ୍ସିବିର ଅପରେସନ୍ସ ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଂଙ୍କ ତତ୍ତ୍ୱାବଧାନରେ ଏହି ଅପରେସନ୍ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ନିଶାଦ୍ରବ୍ୟ ପରିବହନ କରୁଥିବା ଜାହାଜଗୁଡିକୁ ରୋକିବା ପାଇଁ ତଥ୍ୟ ସଂଗ୍ରହ କରିବା।