୩୦୦୦ରୁ ଅଧିକ ଆମେରିକୀୟ ସୈନିକ ହୋଇ ପାରନ୍ତି ବହିଷ୍କୃତ! କରୋନା ଟିକା ନେବାକୁ ମନା କରିବାରୁ ନିଆଯାଉଛି କାର୍ଯ୍ୟାନୁଷ୍ଠାନ

ଆମେରିକାରେ କରୋନାର ବିପଦ ଟଳିନାହିଁ। ଏହାରି ଭିତରେ ଟିକା ନେଇ ନ ଥିବା ଆମେରିକୀୟ ସୈନିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା କୁହାଯାଇଛି। ସେନା ବୁଧବାର ଘୋଷଣା କରିଛି କି, ସେ ବାଧ୍ୟତାମୂଳକ କୋଭିଡ୍-୧୯ ଟିକା ନେବାକୁ ମନା କରିଥିବା ସୈନିକମାନଙ୍କୁ ବରଖାସ୍ତ କରିବା ଆରମ୍ଭ କରିଦେବ। ସେନା ସଚିବ କ୍ରିଷ୍ଟିନ୍ ୱର୍ମୁଥ ଏକ ବୟାନରେ କହିଛନ୍ତି ଯେ ଟିକା ନେଇ ନ ଥିବା ସୈନିକମାନେ ସୈନ୍ୟ ବଳର କ୍ଷମତାକୁ ବିପଦରେ ପକାଇ ପାରନ୍ତି। ଆମେ ସେହି ସୈନିକମାନଙ୍କୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ କରିବୁ, ଯେଉଁମାନେ ଟିକା ନେବା ଆଦେଶ ପାଳନ କରିବାକୁ ମନା କରିଛନ୍ତି।
ସୂଚନା ମୁତାବକ, ହଜାର ହଜାର ସଂଖ୍ୟାରେ ଆମେରିକୀୟ ସୈନିକ ଟିକାକରଣ କରେଇ ନାହାନ୍ତି। ସେନା ସଚିବ କ୍ରିଷ୍ଟିନ୍ ୱର୍ମୁଥଙ୍କ କହିବା ମୁତାବକ, ୩୦୦୦ରୁ ଅଧିକ ସୈନିକଙ୍କୁ ଡିସଚାର୍ଜ କରାଯାଇ ପାରେ। ୨୦୨୧ ଶେଷ ସୁଦ୍ଧା ସେନାରେ ୪୮୨,୦୦୦ ଯବାନ ସକ୍ରିୟ ରୂପେ ଡ୍ୟୁଟିରେ ମୁତୟନ ଥିଲେ। ଜାନୁଆରୀ ୨୬ ସୁଦ୍ଧା ଦୁଇ ବାଟାଲିୟନ କମାଣ୍ଡରଙ୍କ ସମେତ ୬ଜଣ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଟିକା ନେଇ ନ ଥିବା କାରଣରୁ ସେମାନଙ୍କ ପଦବୀରୁ ହଟାଇ ଦିଆଯାଇଥିଲା। ସେନା ସେହି ୩,୦୭୩ ସୈନିକଙ୍କୁ ଲିଖିତ ଆକାରରେ ତାଗିଦ କରିଛି, ଯେଉଁମାନେ ଟିକା ନେଇ ନାହାନ୍ତି।
୩ ହଜାରରୁ ଅଧିକ ସୈନିକ ବାହାରି ପାରନ୍ତି
ଏହା ପୂର୍ବରୁ ଆମେରିକୀୟ ନୌସେନା ଗତ ବର୍ଷ ଅକ୍ଟୋବର ମଧ୍ୟଭାଗରେ ଘୋଷଣା କରିଥିଲା ଯେ ଯେଉଁ କର୍ମଚାରୀ କୋଭିଡ-୧୯ ବିରୋଧରେ ଟିକା ନେବାକୁ ମନା କରିଛନ୍ତି, ସେମାନଙ୍କୁ ସେନାରୁ ବହିଷ୍କାର କରି ଦିଆଯିବ। ଆମେରିକା ନୌସେନାର କହିବା ଥିଲା ଯେ ସାମାନ୍ୟ ବି ଅସାବଧାନତା ସମୁଦ୍ରରେ ପୂରା ଜାହାଜ କିମ୍ବା ବୁଡ଼ାଜାହାଜରେ ଥିବା ଲୋକଙ୍କୁ ସଂକ୍ରମିତ କରିପାରେ। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ମୁତାବକ, ଡ୍ୟୁଟି ଉପରେ ୧.୪ ମିଲିୟନ ଆମେରିକୀୟ ସୈନ୍ୟ ସକ୍ରିୟ ରୂପେ ମୁତୟନ ଅଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ୯୭ ପ୍ରତିଶତଙ୍କୁ ଅତି କମରେ କୋଭିଡ୍ ଭ୍ୟାକ୍ସିନର ଗୋଟିଏ ମାତ୍ର ଡୋଜ ମିଳିଛି।