କ୍ଷୟ ହେଉଛି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ, ହରାଇଲାଣି ୮ ଲକ୍ଷ କୋଟିରୁ ଅଧିକ
ନୂଆଦିଲ୍ଲୀ : କ୍ଷୟ ହେବାରେ ଲାଗିଛି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ୧୦୦ ବିଲିୟନ ଡଲାର ବା ପ୍ରାୟ ୮ ଲକ୍ଷ କୋଟିରୁ ଅଧିକ ହରାଇଲାଣି ଆଦାନୀ ଗ୍ରୁପ। କେବଳ ଫ୍ଲାଗସିପ୍ ଆଦାନୀ ଏଣ୍ଟର ପ୍ରାଇଜେସ୍ ୨୬ ବିଲିଅନ ଡଲାର ହରାଇଛି। ଗୋଟିଏ ସପ୍ତାହରେ ଏହି ବିପୁଳ କ୍ଷତି ହୋଇଛି। ଆଦାନୀ ଗ୍ରୁପକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୧ ହଜାର ଟଙ୍କା ଋଣ ଦେଇଥିବା ଜଣାପଡ଼ିଛି।
ବ୍ୟାଙ୍କ ଗୁଡ଼ିକରୁ କୋଲାଟେରାଲ ରିପୋର୍ଟ ମାଗିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅନ୍ୟପଟେ ଏହାକୁ ନେଇ ପାର୍ଲ୍ୟାମେଣ୍ଟରେ ତମ୍ବି ତୋଫାନ । ଆଦାନୀ ଗ୍ରୁପ ବିରୋଧରେ ଜାଲିଆତି ଅଭିଯୋଗ ନେଇ ଆଲୋଚନା କରିବାକୁ ଆଜି ୯ଟି ବିରୋଧୀ ଦଳ ଅଡ଼ି ବସିଥିଲେ । ଯାହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭା ଅଚଳ ହୋଇପଡ଼ିଥିଲା। ଘଟଣାର ତଦନ୍ତ ଦାବି କରିଛନ୍ତି ବିରୋଧୀ। ସଂସଦୀୟ ପ୍ୟାନେଲ କିମ୍ବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ତଦନ୍ତ କରୁ ବୋଲି ମିଳିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ବିରୋଧୀ।