ବିମାନବନ୍ଦରରେ ଖାଦ୍ୟପେୟ ଜିନିଷ ବର୍ତ୍ତମାନ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଏଥିପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ସମସ୍ତ ବିମାନବନ୍ଦରରେ ‘ସୁଲଭ ଜୋନ୍’ ଖୋଲିବାକୁ ଯାଉଛନ୍ତି । ପ୍ରତି ଏୟାରପୋର୍ଟରେ କିଛି ସ୍ଥାନ ସୁଲଭ ଜୋନ୍ ରୂପେ ସଂରକ୍ଷିତ ରହିବ, ଯେଉଁଠି ଯାତ୍ରୀମାନେ ଶସ୍ତା ଦାମରେ ଖାଦ୍ୟପେୟ ଜିନିଷ କିଣିପାରିବେ ।
ଏୟାରପୋର୍ଟ ଅଧିକାରୀଙ୍କ ମୁତାବକ, ଏହି ଆଉଟଲେଟଗୁଡ଼ିକରେ ୬୦ରୁ ୭୦% ପର୍ଯ୍ୟନ୍ତ ଶସ୍ତାରେ ଖାଦ୍ୟପେୟ ଜିନିଷ ମିଳିବ । ବର୍ତ୍ତମାନ ଗୋଟିଏ ଚା’ କପ୍ ୧୨୫ରୁ ୨୦୦ ଟଙ୍କା ମଧ୍ୟରେ ମିଳୁଥିବା ବେଳେ ସୁଲଭ ଜୋନରେ ଏହା ମାତ୍ର ୫୦ରୁ ୬୦ ଟଙ୍କା ମଧ୍ୟରେ ମିଳିବ ।
ଏଠାରେ ଯାତ୍ରୀମାନଙ୍କ ପାଇଁ ବସିବା ଚେୟାର ପରିବର୍ତ୍ତେ ଷ୍ଟାଣ୍ଡିଂ ଟେବୁଲ ପଡ଼ିବ । ଛୋଟ କପ୍ କିମ୍ବା ଗ୍ଲାସରେ ଚା’ ଦିଆଯିବ । ଫୁଲ୍ ମିଲ୍ ଜାଗାରେ କମ୍ପାକ୍ଟ ମିଲ୍ ରହିବ । ବେସିକ୍ କ୍ଵାଲିଟିର ପ୍ୟାକିଂରେ ସାମଗ୍ରୀ ଉପଲବ୍ଧ ହେବ ।
ସୂତ୍ରରୁ ଜଣାପଡ଼ିଛି, ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଓ କୋଚ୍ଚି ଏୟାରପୋର୍ଟରେ ଘରୋଇ ବିମାନଗୁଡ଼ିକର ଡିପାର୍ଚର ଏରିଆରେ ଜାଗା ଚିହ୍ନଟ କରାଯାଇଛି । ଏଠାରେ ସୁଲଭ ମୂଲ୍ୟରେ ଖାଦ୍ୟପେୟ ବିକ୍ରି ପାଇଁ ୬ରୁ ୮ଟି ଆଉଟଲେଟ୍ ଖୋଲିବ ।
ଏଏଆଇ ଅଧିକାରୀଙ୍କ ମୁତାବକ, ସୁଲଭ ଜୋନରେ କେବଳ ଖାଦ୍ୟପେୟ ସାମଗ୍ରୀ ଉପଲବ୍ଧ ହେବ । ଏଠାରେ କପଡ଼ା, ଖେଳଣା, ମୋବାଇଲ ଷ୍ଟୋର କିମ୍ବା ଅନ୍ୟାନ୍ୟ କିଣାକିଣି ପାଇଁ ଆଉଟଲେଟ୍ ରହିବ ନାହିଁ । ଯାତ୍ରୀମାନଙ୍କୁ କେବଳ ଉଚିତ ଦରରେ ଖାଦ୍ୟପେୟର ସୁବିଧା ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ।
ଏଠାରେ ସୁଲଭ ଜୋନର ଆକାର ଏୟାରପୋର୍ଟର କ୍ଷମତା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଧାରରେ ସ୍ଥିର କରାଯିବ । ପ୍ରତି ଘଣ୍ଟାରେ ୧୬୦ରୁ ୨୦୦ ଜଣ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ । ଡିସେମ୍ବର ସୁଦ୍ଧା ୩ଟି ଏୟାରପୋର୍ଟରେ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରଖାଯାଇଛି । ଆଗାମୀ ୬ ମାସ ମଧ୍ୟରେ ସମସ୍ତ ଏୟାରପୋର୍ଟରେ ସୁଲଭ ଜୋନ୍ ଖୋଲିବାକୁ ଏଏଆଇ ଲକ୍ଷ୍ୟ ରଖିଛି ।