ରାଜଧାନୀ ଦିଲ୍ଲୀରେ ଏକ ଗ୍ୟାଙ୍ଗ୍ଓ୍ୱାର ଘଟଣା ଘଟିଛି । ଏଠାରେ ଗୁରୁବାର ରାତିରେ ଦକ୍ଷିଣ ଦିଲ୍ଲୀରେ ଜଣେ ୩୫ ବର୍ଷୀୟ ଜିମ୍ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସିସିଟିଭି କ୍ୟାମେରାରେ ଏହି ଗୁଳିକାଣ୍ଡର ଭୟାନକ ଦୃଶ୍ୟ କଏଦ ହୋଇଛି । ଜଣେ ସୁଟର ଗ୍ରେଟର କୈଲାଶ-୧ କଲୋନୀର ବ୍ୟସ୍ତବହୁଳ ରାସ୍ତାରେ ଗୁଳି ଚଳାଇଛନ୍ତି ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଗୋଲ୍ଡି ବରାର୍ଙ୍କ ଘନିଷ୍ଠ ରୋହିତ ଗୋଦାରା ସୋସିଆଲ ମିଡିଆରେ ଏ ନେଇ ପୋଷ୍ଟ କରିଛନ୍ତି । ଏହି ହତ୍ୟାକାଣ୍ଡ ପାଇଁ ଆମେ ଦାୟୀ ବୋଲି ଗୋଦାରା କହିଛନ୍ତି । ତେବେ ଏହି ପୋଷ୍ଟର ସତ୍ୟାସତ୍ୟ ନିଶ୍ଚିତ ହୋଇନାହିଁ ।
ଭିଡିଓ ଫୁଟେଜରେ ଦେଖାଯାଉଛି, ଆଫ୍ଗାନ ମୂଳର ଜିମ୍ ମାଲିକ ନାଦିର ଶାହ ସେଠାରେ ପାର୍କିଂ ହୋଇଥିବା କାର୍ ପାଖରେ ଠିଆ ହୋଇ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ରାତି ୧୦ଟା ୪୦ରେ ଚେକ୍ ସାର୍ଟ ପିନ୍ଧା ଜଣେ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚଳାଉଛନ୍ତି । ଅନ୍ୟ ବ୍ୟକ୍ତି ଜଣକ ନଇଁକି ପଳାଉଥିବା ବେଳେ ଆକ୍ରମଣକାରୀ ନାଦିରଙ୍କ ଉପରକୁ ଆଖିବୁଜା ଫାୟାରିଂ କରୁଛନ୍ତି ।
ପୋଲିସ କହିଛି ଯେ ସୁଟର କିଛି ମିଟର ଦୂରରେ ଥିବା ଏକ ମୋଟରସାଇକେଲରେ ବସି ସେଠାରୁ ଖସି ପଳାଇଛନ୍ତି । ପ୍ରାୟ ୬ରୁ ୮ ରାଉଣ୍ଡ୍ ସେ ଗୁଳି ଚଳାଇଛନ୍ତି । ଘଟଣା ପରେ ଶାହଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ସୂଚନା ଅନୁସାରେ, ଶାହଙ୍କର ଦୁବାଇରେ ମଧ୍ୟ ବ୍ୟବସାୟ ରହିଛି । ତାଙ୍କ ନାଁରେ ଅନେକ ଅପରାଧିକ ମାମଲା ରହିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁଳିକାଣ୍ଡ ବେଳେ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ସୁଟର ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି ଚାଲିଛି ।