ଭାରତରେ ଧସେଇ ପଶିଲେ ଆତଙ୍କୀ, ଗୁଇନ୍ଦା ସଂସ୍ଥା ଜାରି କଲା ଆଲର୍ଟ; ସେନା କ୍ୟାମ୍ପ୍‌କୁ କରି ପାରନ୍ତି ଟାଗେର୍ଟ

ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ଭାରତର ସୁରକ୍ଷା ବି ବିପଦରେ ରହିଛି। ପ୍ରଥମ ଥର ଆଫଗାନ ଆତଙ୍କୀ ଭାରତରେ ଧସେଇ ପଶିଥିବାର ଖବର ଆସିଛି। ଗୁଇନ୍ଦା ସଂସ୍ଥା ଏ ନେଇ ଆଲର୍ଟ ଜାରି କରି କୌଣସି ବି ବଡ଼ ଧରଣର ଆକ୍ରମଣ ଆଶଙ୍କା ଜାହିର କରିଛି। ସୂଚନା ମୁତାବକ, ଆତଙ୍କୀମାନଙ୍କ ଟାର୍ଗେଟରେ ସେନା କ୍ୟାମ୍ପ୍‌ କିମ୍ବା କୌଣସି ବଡ଼ ସରକାରୀ ସଂସ୍ଥା ହୋଇପାରେ।

ଗୁଇନ୍ଦା ରିପୋର୍ଟ ମୁତାବକ, ଉରୀ ସେକ୍ଟରର ଏକ ପୋଷ୍ଟରେ ତାରବାଡ଼ କାଟି ଆଫଗାନ ଆତଙ୍କୀ ଧସେଇ ପଶିଛନ୍ତି। ଆଫଗାନ ଆତଙ୍କୀମାନଙ୍କୁ ଭାରତରେ ପୂରାଇ ନିଜେ ଫେରୁଥିବା ପାକିସ୍ତାନୀ ଆତଙ୍କୀମାନଙ୍କ ସହିତ ସୁରକ୍ଷାବଳର ଏନ୍‌କାଉଣ୍ଟର ହୋଇଥିଲା, ଯେଉଁଥିରେ ଜଣେ ସିପାହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ପାଖରୁ ଘାତକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ରିପୋର୍ଟ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୧ରେ ୫ ଆଫଗାନ ଆତଙ୍କୀ ଉରୀ ସେକ୍ଟରର ଏକ ପୋଷ୍ଟରୁ ଭାରତରେ ପଶିଛନ୍ତି।

ସମସ୍ତ ସନ୍ଦିଗ୍ଧ ଜାଗାରେ ଖୋଜା ଚାଲିଛି

ସେନା ପକ୍ଷରୁ ଉରୀ ସେକ୍ଟରରେ ଖୋଜାଖୋଜି ଅଭିଯାନ ଜାରି ରହିଛି। ଏହି ୫ ଆତଙ୍କୀ ଆଫଗାନିସ୍ତାନରୁ ଆସିଛନ୍ତି। ଏଥିପାଇଁ କଶ୍ମୀର ଲୋକଙ୍କ ଭିତରେ ସହଜରେ ମିଶି ପାରିବେ ନାହିଁ। ସମସ୍ତ ସନ୍ଦିଗ୍ଧ ଜାଗାରେ ଖୋଜା ଚାଲିଥିବା ବେଳେ ସେପଟେ ଯେଉଁ ଲୋକ ସେମାନଙ୍କୁ ଆଶ୍ରୟ ଦେଇପାରିବେ, ସେମାନଙ୍କୁ ବି ପଚରାଉଚରା କରାଯାଉଛି। ଏଥି ସହିତ ସେନା କ୍ୟାମ୍ପ୍‌ ଏବଂ ବଡ଼ ସରକାରୀ ସଂସ୍ଥାଗୁଡ଼ିକର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.