ଭୋକ ଉପାସରେ ମରୁଛନ୍ତି ଆଫଗାନିସ୍ତାନର ୮୦ ପ୍ରତିଶତ ଲୋକ, ତଥାପି ତାଲିବାନର ଖସୁନି ଯୁଦ୍ଧ ନିଶା

ତାଲିବାନ କବ୍‌ଜାକୁ ଯିବା ପରେ ଆଫଗାନିସ୍ତାନରେ ଏବେ ହାହାକାର ସ୍ଥିତି। ଦେଶର ଅର୍ଥନୀତି ଏବେ ତଳ ମୁହାଁ। ଲୋକମାନଙ୍କର କାମ ଧନ୍ଦା ଠପ୍‌ ହୋଇଯାଇଥିବାରୁ ଦେଶର ଆର୍ଥିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଛି। ଏଥିସହ ଦେଶର ଟଙ୍କାକୁ ବିଦେଶୀ ସଂସ୍ଥା ଓ ଆମେରିକା ଫ୍ରିଜ୍‌ କରି ଦେଇଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ଖାଇବାକୁ ବି ପାଖରେ ପଇସା ନାହିଁ।

ଆଫଗାନିସ୍ତାନର ଗଣମାଧ୍ୟମ ପ୍ରତିନିଧି ହିଜବୁଲ୍ଲାହ ଖାନ୍‌ ଲଗାତାର ନିଜ ଟ୍ଵିଟ୍‌ ମାଧ୍ୟମରେ ଦେଶର ତାଜା ରିପୋର୍ଟ ଦୁନିଆକୁ ଦେଉଛନ୍ତି। ସେ ନିକଟରେ ଏକ ଟ୍ଵିଟ୍‌ କରିଛନ୍ତି। ସେଥିରେ ଏକ ଖୁଣ୍ଟରେ ଦୁଇ ଜଣ ନାବାଳକ ବନ୍ଧାହୋଇଥିବା ଦେଖିବାକୁ ମିଳିଛି। ଏହି ଦୁଇ ପିଲାଙ୍କୁ ଏକ ବେକରିରୁ ବ୍ରେଡ୍‌ ଚୋରାଇବା ମାମଲାରେ ତାଲିବାନ ଧରିଛନ୍ତି ବୋଲି କ୍ୟାପସନ୍‌ରେ ସେ ଲେଖିଛନ୍ତି।

ହିଜବୁଲ୍ଲାହ କହିଛନ୍ତି, ଦେଶର ୮୦ ପ୍ରତିଶତ ଲୋକ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି। ଏସବୁ ତାଲିବାନ ସରକାରର ଅପାରଗତା ଯୋଗୁ ହୋଇଛି। ସେ କହିଛନ୍ତି ଯେ ଗତ ୨ ଦିନରେ ଆଫଗାନିସ୍ତାନର ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରାୟ ୫ ଜଣ ଲୋକ ଖାଇବାକୁ ନ ପାଇ ଆତ୍ମହତ୍ୟା କରିଛନ୍ତି।

ତେବେ ଗୋଟେ ପଟେ ଦେଶରେ ଲୋକ ଖାଦ୍ୟାଭାବରୁ ମରୁଥିବା ବେଳେ ଅନ୍ୟପଟେ ତାଲିବାନ ସରକାର କିନ୍ତୁ ଯୁଦ୍ଧ କରିବାକୁ ଅଣ୍ଟା ଭିଡ଼ିଛି। ତାଲିବାନ ସରକାର ଦେଶର ସ୍ଥିତିକୁ ସୁଧାରିବା ପରିବର୍ତ୍ତେ ଲୋକଙ୍କ ଉପରେ ଅଧିକରୁ ଅଧିକ ଅତ୍ୟାଚାର କରୁଥିବା ଜଣାଯାଇଛି। ଏଭଳି ସ୍ଥିତିରୁ ସ୍ପଷ୍ଟ ହେଉଛି ଯେ ତାଲିବାନ ସରକାରର ଆୟୁଷ ଖୁବ୍‌ କମ୍‌ ଦିନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.