ସାମ୍ନାକୁ ଆସିଲା ତାଲିବାନର ଅସଲ ଚେହେରା, ଆଫଗାନିସ୍ତାନରେ ଚୁଟି ଓ ଦାଢ଼ି କାଟିବା ଉପରେ ଲଗାଇଲା ରୋକ୍‌

ଖୋଲୁଛି ତାଲିବାନଙ୍କ ମୁଖା। ଧୀରେ ଧୀରେ ସାମ୍ନାକୁ ଆସୁଛି ସେମାନଙ୍କ ଅସଲ ରୂପ। ପ୍ରଥମେ ମହିଳାଙ୍କ ବେଶ ପୋଷାକ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁରୁଷଙ୍କ ଉପରେ ରୋକ୍‌ ଲଗାଇବା ଆରମ୍ଭ କରିଛି ତାଲିବାନ। ଆଫଗାନିସ୍ତାନରେ ଏବେ ପୁରୁଷମାନଙ୍କୁ ଦାଢ଼ି ନିଶ କାଟିବା ମନା। ଆଉ ଯିଏ ଏହି ନିର୍ଦ୍ଦେଶ ନ ମାନିବ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାଲିବାନ। ନିକଟରେ ଏଭଳି ଅଦ୍ଭୁତ ନିର୍ଦ୍ଦେଶ ଦେଇଛି ତାଲିବାନ।

ରିପୋର୍ଟ ମୁତାବକ, ତାଲିବାନ ପକ୍ଷରୁ ହେଲମନ୍ଦ ପ୍ରାନ୍ତରେ ଚୁଟି ଓ ଦାଢ଼ି କାଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଇସ୍‌ଲାମିକ ଓରିଏଣ୍ଟେସନ୍‌ ମନ୍ତ୍ରାଳୟ ହେୟାରଡ୍ରେସିଂ ସେଲୁନ୍‌ର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି ଏବଂ ସେମାନଙ୍କୁ ଦାଢ଼ି ଓ ଚୁଟିକୁ ଷ୍ଟାଇଲ କରିବା ବିରୋଧରେ ପରାମର୍ଶ ଦେଇଛନ୍ତି।

ତାଲିବାନ୍‌ମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ସେଲୁନ୍‌ରେ ଆଉ କେହି ଗୀତ କିମ୍ବା ଭଜନ ମଧ୍ୟ ବଜାଇପାରିବେ ନାହିଁ। ରାଜଧାନୀ କାବୁଲସ୍ଥିତ କେତେକ ସେଲୁନ୍‌ ଏହି ନିୟମ ପାଳନ କରିବା ଆରମ୍ଭ କରିଦେଇଥିବା ଜଣାଯାଇଛି। ଯଦି କୌଣସି ସେଲୁନ୍‌ରେ ଚୁଟି କାଟିବା ବେଳେ ଗୀତ ବାଜୁଥିବାରୁ ଶୁଣିବାକୁ ମିଳେ, ତେବେ ତାଙ୍କ ବିରୋଧରେ ସିରିଆ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କୁ ଅଭିଯୋଗ କରିବାର ବି ଅଧିକାର ରହିବ ନାହିଁ ବୋଲି ଘୋଷଣା କରିଛି ତାଲିବାନ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଆଫଗାନିସ୍ତାନରେ ମହିଳାଙ୍କୁ ନଖ ବଢ଼ାଇବା ଓ ନେଲପଲିସ୍‌ ଲଗାଇବାକୁ ବାରଣ କରାଯାଇଥିଲା। ଦେଶରେ ମହିଳାମାନେ କେବଳ ବୁର୍ଖା ହିଁ ଧାରଣ କରିବେ ବୋଲି ତାଲିବାନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.